ଜାତିସଂଘ: ନିଜ ଲୋକଙ୍କୁ ଯେତେ ଦେଇ ନାହିଁ, ତା’ଠାରୁ ଅଧିକ କୋଭିଡ୍‌-୧୯ ଟିକା ସମଗ୍ର ବିଶ୍ୱକୁ ଯୋଗାଇ ଥିବା କଥା ଭାରତ ଜାତିସଂଘର ଜେନେରାଲ୍‌ ଆସେମ୍ବ୍ଲିରେ କହିଛି। ଏଥିସହ ଭାରତ ସତର୍କ କରାଇ ଦେଇଛି ଯେ, ଟିକାର ଅସମ ବଣ୍ଟନ କରୋନାଭାଇରସ୍‌ ଦମନ ପାଇଁ ଚାଲିଥିବା ସମ୍ମିଳିତ ବୈଶ୍ୱିକ ପ୍ରତିବଦ୍ଧତାକୁ ପରାଜିତ କରିବ। ଗରିବ ଦେଶଗୁଡ଼ିକୁ ଟିକା ନ ମିଳିଲେ ଏ ଭଳି ପରିସ୍ଥିତି ସୃଷ୍ଟି ହେବ।

‘ପଲିଟିକାଲ୍‌ ଡିକ୍ଲାରେସନ୍‌ ଅନ୍‌ ଇକ୍ୱିଟେବଲ୍‌ ଗ୍ଲୋବାଲ୍‌ ଆକ୍‌ସେସ୍‌ ଟୁ କୋଭିଡ୍‌-୧୯’ର ଅନ୍ୟତମ ଉଦ୍ୟୋକ୍ତା ଭାରତ ଏଥିପାଇଁ ୧୮୦ରୁ ଊର୍ଦ୍ଧ୍ୱ ଜାତିସଂଘ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ ହାସଲ କରିଛି।

ଶୁକ୍ରବାର ଦିନ ଜାତିସଂଘର ‘ଜେନେରାଲ୍‌ ଆସେମ୍ବ୍ଲିରେ ଅନୁଷ୍ଠିତ ଅନୌପଚାରିକ ବୈଠକରେ ଜାତିସଂଘସ୍ଥିତ ଭାରତର ଡେପୁଟି ପର୍‌ମାନେଣ୍ଟ୍‌ ରିପ୍ରେଜେନ୍‌ଟେଟିଭ୍‌ ରାଷ୍ଟ୍ରଦୂତ କେ. ନାଗରାଜ ନାଇଡୁ କହିଥିଲେ, କୋଭିଡ୍‌-୧୯ ମହାମାରୀ ଲାଗି ରହିଥିବା ବେଳେ ଏହାକୁ ଦମନ କରିବା ଲାଗି ବୈଶ୍ୱିକ ବୈଜ୍ଞାନିକ ସମ୍ପ୍ରଦାୟ ଏକାଧିକ ଟିକା ପ୍ରସ୍ତୁତ କରିବାରୁ ବର୍ଷ ୨୦୨୧ ସକାରାତ୍ମକ ଆଶା ନେଇ ଆରମ୍ଭ ହୋଇଥିଲା।

Image Courtesy of Times of India

ସେ ଆହୁରି ମଧ୍ୟ କହିଛନ୍ତି, ଟିକା ପ୍ରସ୍ତୁତି କ୍ଷେତ୍ରରେ ଥିବା ଆହ୍ଵାନର ସମାଧାନ ହୋଇଥିବା ବେଳେ, ଏବେ ଆମେ କୋଭିଡ୍‌-୧୯ ଟିକାର ଉପଲବ୍ଧତା, ଉନ୍ମୁକ୍ତତା, ସୁଲଭ ଦର ଓ ବଣ୍ଟନ ଆଦି ସୁନିଶ୍ଚିତ କରାଇବା କଥା। ବୈଶ୍ୱିକ ସହାୟତା ନ ରହିଲେ ତଥା ଟିକାର ଉପଲବ୍ଧତା କ୍ଷେତ୍ରରେ ସମତା ରକ୍ଷା କରାଯାଇ ନ ପାରିଲେ ଗରିବ ଦେଶମାନେ ଖୁବ୍‌ ପ୍ରଭାବିତ ହେବେ।

ନାଇଡୁ ପୁଣି ମଧ୍ୟ କହିଛନ୍ତି ଯେ, ଆସନ୍ତା ଛଅ ମାସ ମଧ୍ୟରେ ଭାରତ ତା’ର ପ୍ରତ୍ୟକ୍ଷ ସେବାକାରୀ କର୍ମଚାରୀଙ୍କୁ ୩୦୦ ନିୟୁତ ଟିକା ଦେବା ସହ ୭୦ରୁ ଊର୍ଦ୍ଧ୍ୱ ଦେଶକୁ ଟିକା ଯୋଗାଣ ଲାଗି ବ୍ୟବସ୍ଥା କରୁଛି।

ବାସ୍ତବରେ କହିବାକୁ ଗଲେ, ଏବେ ଆମେ ନିଜ ଲୋକଙ୍କୁ ଯେତେ ଟିକା ଦେଇନାହୁଁ, ସମଗ୍ର ବିଶ୍ୱକୁ ତା’ଠାରୁ ଅଧିକ ଟିକା ଯୋଗାଇଛୁ।

The post ନିଜ ଟିକାକରଣ ଅଭିଯାନ ଠାରୁ ଅଧିକ ଟିକା ସମଗ୍ର ବିଶ୍ୱରେ ବାଣ୍ଟିଛୁ: ଭାରତ first appeared on Sambad.

from କରୋନା | Sambad https://ift.tt/3w6ImPe