ସାରା ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ନିଷ୍ପତ୍ତି ହୋଇପାରେ

ନୂଆଦିଲ୍ଲୀ : ଭାରତରେ ଏବେ କରୋନାର ଦ୍ବିତୀୟ ଲହର ଚାଲିଛି ଏବଂ ସଂକ୍ରମଣ ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି। ମହାରାଷ୍ଟ୍ରରେ ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଆଜି ରାଜ୍ୟରେ ସର୍ବାଧିକ ୩୬,୯୦୨ ମାମଲା ଚିହ୍ନଟ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ପରେ କେତେକ ନୂଆ କଟକଣା ଘୋଷଣା କରାଯାଇଛି। ୨୮ ତାରିଖ ରାତିରୁ ରାଜ୍ୟ ସାରା ନାଇଟ୍‌ କର୍ଫ୍ୟୁ ଲାଗୁ ‌କରାଯିବ ବୋଲି ଘୋଷଣା ହୋଇଛି। ମଲ୍‌ଗୁଡ଼ିକ ରାତି ୮ଟା ପରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୦ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିନକରେ ୫୯,୧୧୮ ଜଣ କରୋନା ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଥିବା ବେଳେ ବିଗତ ୧୫୯ ଦିନରେ ଏହା ସର୍ବାଧିକ। ‌ ଦେଶରେ ସକ୍ରିୟ ମାମଲା ଏବେ ୪ ଲକ୍ଷ ଟପିଯାଇଛି। ସକ୍ରିୟ ମାମଲା ୩ ଲକ୍ଷ ଟପିବାର ମାତ୍ର ୫ ଦିନ ପରେ ୪ ଲକ୍ଷ ଟପିଛି। ମୋଟ୍‌ ସକ୍ରିୟ ମାମଲା ୪,୨୧,୦୬୬ ରହିଛି। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୫.୦୯ ପ୍ରତିଶତକୁ ଖସି ଆସିଛି। ବିଗତ ୨୪ ଘଣ୍ଟାରେ ଦେଶରେ ୨୫୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଏବେ ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଗୁଜରାଟରେ ସଂକ୍ରମଣ ବଢ଼ିଚାଲିଛି। ଗୁଜରାଟରେ ଗତକାଲି ୧୯୬୧ ନୂଆ ମାମଲା ଥିବାବେଳେ ପଂଜାବରେ ୨,୭୦୦ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଥିବାରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ଲୋକଙ୍କୁ ଚେତାବନୀ ଦେଇଛନ୍ତି। କରୋନା ନିୟମାବଳି ନମାନିଲେ ଲକ୍‌ଡାଉନ୍‌ ହେବ ବୋଲି ପାୱାର କହିଛନ୍ତି। ଏପ୍ରିଲ ୨ ପରେ ଲକ୍‌ଡାଉନ୍‌ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

The post ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ first appeared on Sambad.

from କରୋନା | Sambad https://ift.tt/3d7Wyit