ହିଙ୍ଗୋଲିରେ ସପ୍ତାହକ ପାଇଁ ଲକ୍‌ଡାଉନ୍‌ ଘୋଷଣା
ନାଗପୁରରେ ହାଟ ବଜାର ଭିଡ଼କୁ ନେଇ କଟକଣା
ପୁଣେରେ ମାର୍ଚ୍ଚ ୧୪ ଯାଏଁ କର୍ଫ୍ୟୁ, ଶିକ୍ଷାନୁଷ୍ଠାନ ବନ୍ଦ

ମୁମ୍ବାଇ : ମହାରାଷ୍ଟ୍ରରେ ଏବେ କୋଭିଡ୍‌ ସଂକ୍ରମଣ ପୁଣି ଅନିୟନ୍ତ୍ରିତ ହୋଇପଡ଼ିଛି। ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି ଏବଂ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅଂଚଳରେ ସ୍ଥିତି ଉଦ୍‌ବେଗଜନକ ହେଉଛି। ଅମରାବତୀ ପରେ ଏବେ ହିଙ୍ଗୋଲିରେ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ମାର୍ଚ ୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ନାଗପୁରରେ ମଧ୍ୟ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆ କଟକଣା ଲାଗୁ ହୋଇଛି। ଭିଡ଼ ନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଥିବା ବେଳେ ମାସ୍କ ନ ପିନ୍ଧିଲେ ଜୋରିମାନା ବାଧ୍ୟତାମୂଳକ କରାଯାଇଛି। ପୁଣେରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଆଜି ଜାରି ରହିଥିବା ରାତ୍ରି କର୍ଫ୍ୟୁକୁ ମାର୍ଚ୍ଚ ୧୪ ତାରିଖ ଯାଏଁ ବୃଦ୍ଧି କରିଛନ୍ତି। ରାଜ୍ୟର ସମସ୍ତ ସ୍କୁଲ, କଲେଜ ୧୪ ତାରିଖ ଯାଏଁ ବନ୍ଦ ରହିବ ଏବଂ କର୍ଫ୍ୟୁ ସମୟ‌ରେ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯିବ ବୋଲି ମେୟର ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଘୋଷଣା କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲ, କଲେଜ, ଘରୋଇ କୋଚିଂ ସେଣ୍ଟରଗୁଡ଼ିକ ମାର୍ଚ୍ଚ ୧୪ ତାରିଖ ଯାଏଁ ବନ୍ଦ ରହିବ। ଅତ୍ୟାବଶ୍ୟକ ସେବା ବ୍ୟତୀତ ସାଧାରଣ ଚଳପ୍ରଚଳ ରାତି ୧୧ଟାରୁ ସକାଳ ୬ଟା ଯାଏଁ ବନ୍ଦ ରହିବ। ପୁଣେରେ ରବିବାର ସୁଦ୍ଧା କର୍ଫ୍ୟୁ ସମୟ‌ରେ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯିବ। ଆଜି ମହାରାଷ୍ଟ୍ରରେ ୮,୬୨୩ ନୂଆ ମାମଲା ଚିହ୍ନଟ ହୋଇଛି।

The post ମହାରାଷ୍ଟ୍ରରେ ପୁଣି କରୋନା ଅନିୟନ୍ତ୍ରିତ first appeared on Sambad.



from କରୋନା – Sambad https://ift.tt/3bMFq0T