ନୂଆଦିଲ୍ଲୀ : ଆଗାମୀ କିଛି ସପ୍ତାହ ମଧ୍ୟରେ ଦେଶରେ ଆଉ ୨ଟି କୋଭିଡ୍‌ ଟିକା ଉପଲବ୍‌ ହୋଇପାରିବ। ଫଳରେ ହିତାଧିକାରୀମାନେ ୩-୪ଟି ଟିକା ଭିତରୁ ନିଜ ମନପସନ୍ଦର ଟିକା ନେବା ପାଇଁ ସୁଯୋଗ ପାଇପାରିବେ ବୋଲି ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି। ସମ୍ପ୍ରତି ଦେଶରେ ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା କୋଭିସିଲ୍‌ଡ ନାମରେ ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ଓ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ ଦ୍ବାରା ବିକଶିତ କୋଭାକ୍ସିନ୍‌ ଟିକାର ଉପଯୋଗ ଚାଲିଛି। ତେବେ ଆଗକୁ ରୁଷିଆ ସରକାରଙ୍କ ଦ୍ବାରା ବିକଶିତ ତଥା ଡ. ରେଡିସ୍‌ ଲାବୋରାଟରି ଦ୍ବାରା ପ୍ରସ୍ତୁତ ସ୍ପୁଟନିକ୍‌-ଭି ଓ କାଡିଲା ହେଲ୍‌ଥକେୟାର ଦ୍ବାରା ପ୍ରସ୍ତୁତ ଜାଇକୋଭ୍‌-ଡି ଟିକା ମିଳିପାରିବ ବୋଲି ସେ ଆଶାବାଦୀ ଅଛନ୍ତି। ତେବେ ବିଭିନ୍ନ ଘରୋଇ ଡାକ୍ତରଖାନାମାନଙ୍କରେ ଏହି ସୁବିଧା ମିଳିପାରିବ ଏବଂ ସେ ସଂକ୍ରାନ୍ତ ସୂଚନା ପାଇଁ ଜଣେ ହିତାଧିକାରୀ କେଉଁଠିକି ଯାଇ ନିଜ ପସନ୍ଦର ଟିକା ନେଇପାରିବେ ତାହା ସେ ନିର୍ଣ୍ଣୟ କରିପାରିବେ। ଅପରପକ୍ଷେ, ସରକାରୀ ଟିକାଦାନ କେନ୍ଦ୍ରମାନଙ୍କରେ କେବଳ ନିର୍ଦ୍ଧାରିତ ଗୋଟିଏ ପ୍ରକାର ଟିକା ମିଳିପାରିବ ବୋଲି ସେ କହିଛନ୍ତି। ଦେଶରେ ଏହି ଟିକାକରଣ ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

The post କିଛି ସପ୍ତାହ ଭିତରେ ଭାରତକୁ ମିଳିଯିବ ଆଉ ୨ କୋଭିଡ୍‌ ଟିକା first appeared on Sambad.



from କରୋନା – Sambad https://ift.tt/37Wr50M