
ଓ୍ଵାସିଂଟନ୍: ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ ଉତ୍ପାଦିତ କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଅନୁମତି ପ୍ରଦାନ କରିଛି।
ଗୋଟିଏ ଡୋଜ୍ବିଶିଷ୍ଟ ଏହି ଟିକା ଗୁଣସୂତ୍ର କ୍ରମ ପରିବର୍ତ୍ତିତ ଭୂତାଣୁ ସମେତ କୋଭିଡ୍-୧୯ଦ୍ୱାରା ସାଙ୍ଘାତିକ ଭାବେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବାରେ ଖୁବ୍ ଫଳପ୍ରଦ ବୋଲି ‘ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍’ (ଏଫ୍ଡିଏ) କହିଛି।
ଏକ ବିବୃତିରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ କହିଛନ୍ତି, ଆମେରିକୀୟଙ୍କ ସକାଶେ ଏଇଟା ଉଚ୍ଚାଟଜନକ ଖବର ଏବଂ ସଙ୍କଟର ଅବସାନ ନିମନ୍ତେ ଆମ ପ୍ରଚେଷ୍ଟାର ଉତ୍ସାହପ୍ରଦ ଅଗ୍ରଗତି ମଧ୍ୟ।
କିନ୍ତୁ, ସାମାଜିକ ଦୂରତ୍ୱ ଭଳି ଭୂତାଣୁ-ବିରୋଧୀ ନିୟମ ପ୍ରତି ସତର୍କ ରହିବା ପାଇଁ ସେ ଆମେରିକୀୟମାନଙ୍କୁ ନିବେଦନ କରିବା ସହ ଚେତାଇ ଦେଇଛନ୍ତି ଯେ, ଏବେ ମଧ୍ୟ ଭୂତାଣୁର ପରିବର୍ତ୍ତିତ ପ୍ରଜାତି ଠାରୁ ବିପଦର ଆଶଙ୍କା ରହିଛି।
ବ୍ୟାପକ ନୈଦାନିକ ପରୀକ୍ଷାରୁ ଜଣାପଡ଼ିଛି ଯେ, ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ ପ୍ରସ୍ତୁତ ଟିକା ସାଙ୍ଘାତିକ ଆକ୍ରାନ୍ତ ଆମେରିକୀୟଙ୍କ କ୍ଷେତ୍ରରେ ୮୫.୯%, ଦକ୍ଷିଣ ଆଫ୍ରିକୀୟଙ୍କ କ୍ଷେତ୍ରରେ ୮୧.୭% ଏବଂ ବ୍ରାଜିଲୀୟଙ୍କ କ୍ଷେତ୍ରରେ ୮୭.୬% ଫଳପ୍ରଦ ହୋଇଛି।
ସବୁ ଅଞ୍ଚଳରେ ମୋଟ୍ ୩୯,୩୨୧ଜଣ କୋଭିଡ୍ ଆକ୍ରାନ୍ତଙ୍କୁ ଏହି ଟିକା ଦିଆଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ, ସାଙ୍ଘାତିକ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଟିକା ୮୫.୪% ଫଳପ୍ରଦ ହେଉଥିବା ବେଳେ ସାମାନ୍ୟ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହାର ଫଳପ୍ରଦତା ୬୬.୧%କୁ ଖସି ଆସୁଛି।
ସୋମବାର ଠାରୁ ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ କୋଭିଡ୍ ଟିକାର ଯୋଗାଣ ଆରମ୍ଭ ହେବ। ମାର୍ଚ ଶେଷ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରାୟ ୨୦ ନିୟୁତ ଡୋଜ୍ ଟିକା ଯୋଗାଇ ଦିଆଯିବ ବୋଲି ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ ଆକଳନ କରିଛି।
The post ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ଆମେରିକା first appeared on Sambad.
from କରୋନା – Sambad https://ift.tt/3aWQpFT
0 Comments