ସମ୍ବଲପୁର : କରୋନା ସଂକ୍ରମଣ ବ୍ୟାପିକା ଦୃଷ୍ଟିରୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍ସେନା ଆଜି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ୧୧ଟି ଛାତ୍ରାବାସ/ଛାତ୍ରୀନିବାସକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ପୁଲହ, ପୁଲସ୍ତ୍ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମାରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ଏହି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହିଛି। ସେହିପରି ପୁଲହ ଛାତ୍ରାବାସର ଆଖପାଖ ଅଂଚଳକୁ ବଫର୍ ଜୋନ୍ ‌ଭାବେ ଘୋଷଣା କରିଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀଙ୍କୁ ଏହି ଆଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ଆଶଙ୍କା ସତ ହୋଇଛି। ଭିସୁଟର ୨୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଶନିବାର ଅପରାହ୍‌ଣରେ ଶତାଧିକ ଛାତ୍ରଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଭଳି ସ୍ଥିତିରେ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଭିସୁଟ୍‌ର ଭାରପ୍ରାପ୍ତ କୁଳପତି ପ୍ର‌ଫେସର ବି.ବି.ପତିଙ୍କ ‌ସୂଚନା ଅନୁସାରେ, ଶନିବାର ମଧ୍ୟାହ୍ନ ସୁଦ୍ଧା ମୋଟ ୨୫ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟ ଛାତ୍ରମାନଙ୍କର ମଧ୍ୟ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀ ପାଠ୍ୟକ୍ରମର ଦ୍ବିତୀୟ, ଚତୁର୍ଥ, ଷଷ୍ଠ, ଅଷ୍ଟମ ଓ ଦଶମ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ ପାଇଁ ଆସନ୍ତା ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଏକାଡେମିକ୍ କ୍ୟାମ୍ପସକୁ ଆସିବାକୁ ବାରଣ କରାଯାଇଛି। ସେମାନେ ଛାତ୍ରବାସ/ଛାତ୍ରୀନିବାସରେ ଅନ୍‌ଲାଇନ୍‌ କ୍ଲାସ୍ କରିବ‌େ। ତେବେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ରହିଛି, ସେମାନେ କେବଳ ଏକାଡେମିକ୍ କ୍ୟାମ୍ପସକୁ ଆସି ପରୀକ୍ଷା ଦେବେ। ଆକ୍ରାନ୍ତ ଛାତ୍ରମାନଙ୍କୁ ଗୋଟିଏ ଛାତ୍ରବାସରେ ଆଇସୋଲେସନ୍‌ରେ ରଖି ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି ପ୍ରଫେସର ପତି କହିଛନ୍ତି। ଅପରପକ୍ଷରେ ଛାତ୍ରମାନଙ୍କ କହିବା ଅନୁସାରେ, ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଅପରାହ୍‌ଣରେ ଶତାଧିକ ଛାତ୍ରଙ୍କ ନମୁନା ସଂଗ୍ରହ କରାଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ନିଆଯାଇଥିବା ନମୁନା ମଧ୍ୟରୁ ୪ ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

The post ଭିସୁଟ୍‌ର ୨୯ ଛାତ୍ରଙ୍କୁ କରୋନା first appeared on Sambad.



from କରୋନା – Sambad https://ift.tt/3uDovqm