
ସମ୍ବଲପୁର: କରୋନା ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ଶନିବାର ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟ (ଭିସୁଟ୍)ର ୧୧ ଛାତ୍ରାବାସ/ଛାତ୍ରୀନିବାସକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି। ପୁଲହ, ପୁଲସ୍ତ୍ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ଏହି ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନରେ ରହିଛି। ସେହିପରି ପୁଲହ ଛାତ୍ରାବାସ ଆଖପାଖ ଅଞ୍ଚଳକୁ ବଫରଜୋନ୍ କରାଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସୁକାନ୍ତ ତ୍ରିପାଠୀଙ୍କୁ ଏହି ଆଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଭିସୁଟରେ ଅଦ୍ୟାବଧି ୨୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍ଣରେ ଶତାଧିକ ଛାତ୍ରଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଭାରପ୍ରାପ୍ତ କୁଳପତି ପ୍ରଫେସର ବି ବି ପତିଙ୍କ ସୂଚନା ଅନୁଯାୟୀ ଶନିବାର ମଧ୍ୟାହ୍ନ ସୁଦ୍ଧା ୨୫ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀ ପାଠ୍ୟକ୍ରମର ଦ୍ବିତୀୟ, ଚତୁର୍ଥ, ଷଷ୍ଠ ଓ ଅଷ୍ଟମ, ଦଶମ ସେମିଷ୍ଟର୍ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଏକାଡେମିକ୍ କ୍ୟାମ୍ପସ୍କୁ ଆସିବାକୁ ବାରଣ କରାଯାଇଛି। ସେମାନେ ଛାତ୍ରାବାସ/ଛାତ୍ରୀନିବାସରେ ରହି ଅନଲାଇନ୍ କ୍ଲାସ୍ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପ୍ରଫେସର ପତି ସୂଚନା ଦେଇଛନ୍ତି।
The post ଭିସୁଟରେ ୨୯ ଛାତ୍ରଙ୍କୁ କରୋନା: ୧୧ଟି ହଷ୍ଟେଲରେ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା first appeared on Sambad.
from କରୋନା – Sambad https://ift.tt/3uGZJ8y
0 Comments