
ନୂଆଦିଲ୍ଲୀ : ଆମ ଦେଶରେ ସାର୍ବଜନୀନ ଟିକାକରଣ ପାଇଁ ଦୁଇ ଦୁଇଟି ଟିକାକୁ ଅନୁମୋଦନ ମିଳିବା ଘଟଣା, ମହାମାରୀ କୋଭିଡ୍ ବିରୋଧରେ ଜାରି ରହିଥିବା ନିରନ୍ତର ଯୁଦ୍ଧର, ଏକ ନିର୍ଣ୍ଣାୟକ ମୋଡ଼ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏଥି ସହିତ ଏକ କୋଭିଡ୍ମୁକ୍ତ ରାଷ୍ଟ୍ର ହେବା ପାଇଁ ଭାରତର ଜାରି ରହିଥିବା ଅଭୂତପୂର୍ବ ପ୍ରକ୍ରିୟାକୁ ଏହା ତ୍ବରାନ୍ବିତ କରିବ ବୋଲି ସେ କହିଛନ୍ତି।
ଗତ ଦୁଇ ଦିନ ଭିତରେ ଭାରତର ଭେଷଜ ମହାନିୟନ୍ତ୍ରକ(ଡିସିଜିଆଇ) ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା-ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଟିକା(କୋଭିସିଲ୍ଡ) ଓ ଭାରତ ବାୟୋଟେକ୍ ଟିକା(କୋଭାକ୍ସିନ୍)କୁ ସବୁଜ ସଂକେତ ଦେବା ପରେ ଏକାଧିକ ଟ୍ବିଟ୍ କରି ମୋଦୀ ଜଣାଇଛନ୍ତି ଯେ ଭାରତୀୟମାନେ ଏଥିପାଇଁ ଗର୍ବିତ ଯେ ଏହି ଦୁଇଟି ଯାକ ଟିକା ଭାରତରେ ହିଁ ପ୍ରସ୍ତୁତ ହୋଇଛି। ଏଥି ସହିତ ଆତ୍ମନିର୍ଭର ଭାରତର ସ୍ବପ୍ନକୁ ସାକାର କରିବା ଲାଗି ଭାରତୀୟ ବୈଜ୍ଞାନିକମାନଙ୍କର ଆଗ୍ରହ ଓ ପ୍ରଚେଷ୍ଟାକୁ ଏହା ପ୍ରମାଣିତ କରିପାରିଛି ବୋଲି ସେ ସନ୍ତୋଷ ପ୍ରକଟ କରିଛନ୍ତି। ସେହିପରି କୋଭିଡ୍ ଜନିତ ପ୍ରତିକୂଳ ପରିସ୍ଥିତିରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ଦେଶର ଅଗଣିତ ସ୍ବାସ୍ଥ୍ୟସେବୀ, ବୈଜ୍ଞାନିକ, ସୁରକ୍ଷା କର୍ମୀ ଓ ସମସ୍ତ କରୋନା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି।
The post ଟିକା ଅନୁମୋଦନ ଭାରତର କୋଭିଡ୍ମୁକ୍ତ ଅଭିଯାନକୁ ତ୍ବରାନ୍ବିତ କରିବ: ମୋଦୀ first appeared on Sambad.
from କରୋନା – Sambad https://ift.tt/2X7vDMg
0 Comments