
ନୂଆଦିଲ୍ଲୀ : ଦେଶବ୍ୟାପୀ ଆଜି ତୃତୀୟ ଦିନରେ ଟିକାକରଣ କାର୍ଯ୍ୟକ୍ରମ ହୋଇଛି। ଦେଶରେ ଏ ଯାବତ୍ ୩,୮୧,୩୦୫ ଜଣ ହିତାଧିକାରୀ କରୋନା ଟିକା ନେଇଛନ୍ତି। ଟିକାକରଣ ପରେ ୫୮୦ ଜଣଙ୍କଠାରେ ସାମାନ୍ୟ ପ୍ରତିକୂଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏକ ପ୍ରେସ୍ ବିବୃତି ଜାରି କରି ମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନି କହିଛନ୍ତି, ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ୨୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧,୪୮,୨୬୬ ହିତାଧିକାରୀ ଟିକା ନେଇଛନ୍ତି। ଟିକା ନେବାପରେ ଦେଶରେ ଯେଉଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି, ସେମାନଙ୍କ ମୃତ୍ୟୁ ସହ ଟିକାର କିଛି ସଂପର୍କ ନାହିଁ ବୋଲି ସେ କହିଛନ୍ତି। ଟିକାକରଣର ଦ୍ବିତୀୟ ଦିନରେ ଗତକାଲି ୬ଟି ରାଜ୍ୟରେ ୧୭ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପ୍ରଥମ ଦିନରେ ୧.୯୧ ଲକ୍ଷ ଟିକା ନେଇଥିଲେ। ଟିକା ନେବାର ୨୪ ଘଣ୍ଟା ପରେ ଗତକାଲି ସନ୍ଧ୍ୟାରେ ଉତ୍ତରପ୍ରଦେଶର ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଯାଇଛି।
୪୬ ବର୍ଷୀୟ ମହିପାଲ୍ ସିଂହ ଉତ୍ତରପ୍ରଦେଶର ମୋରାଦାବାଦ୍ ସରକାରୀ ହସ୍ପିଟାଲ୍ରେ କାର୍ଯ୍ୟ କରୁଥିଲେ। ତେବେ ଜିଲ୍ଲା ମୁଖ୍ୟ ମେଡିକାଲ୍ ଅଧିକାରୀ କହିଛନ୍ତି, ଟିକାକରଣ ସହ ତାଙ୍କ ମୃତ୍ୟୁର କୌଣସି ସଂପର୍କ ନାହିଁ। ଶନିବାର ଅପରାହ୍ନରେ ସେ ଟିକା ନେଇଥିଲେ। ରବିବାର ସେ ଖୁବ୍ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ କହିଛନ୍ତି ଯେ ସେ କିଛିଦିନ ହେଲା ଅସୁସ୍ଥ ଥିଲେ ଏବଂ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିଲା। ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩,୭୮୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୪୫ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୧୧ ଦିନ ଧରି ଦେଶରେ ଦୈନିକ ନୂଆ ସଂକ୍ରମଣ ମାମଲା ୨୦ ହଜାରରୁ କମ୍ ରହୁଛି।
The post ତୃତୀୟ ଦିନରେ କୋଭିଡ୍ ଟିକାକରଣ: ୩,୮୧,୩୦୫ ଜଣ ଟିକା ନେଲେଣି, ୫୮୦ ମାମଲାରେ ପ୍ରତିକୂଳ ପ୍ରତିକ୍ରିୟା first appeared on Sambad.
from କରୋନା – Sambad https://ift.tt/3oYkY2H
0 Comments