
ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା କମ୍ପାନି ଦ୍ବାରା ବିକଶିତ କୋଭିଡ୍ ଟିକାକୁ ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ କୋଭିସିଲ୍ଡ ନାମରେ ପ୍ରସ୍ତୁତ କରୁଛି। ଏହି ଟିକା ସମ୍ପ୍ରତି ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇ ଦେଶର ପ୍ରଥମ ଦଫା ଟିକାକରଣରେ ସାମିଲ ହୋଇସାରିଥିବା ବେଳେ ଏହାର ଅନ୍ତର୍ଜାତୀୟ ବ୍ୟବହାର ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ମଧ୍ୟ ସବୁଜ ସଂକେତ ଦେଇପାରେ ବୋଲି ଜଣାଯାଇଛି। ଏଥିପାଇଁ ହୁ’ ପକ୍ଷରୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଠାରୁ କୋଭିସିଲ୍ଡର ନୈଦାନିକ ପରୀକ୍ଷଣ ବେଳର ଯାବତୀୟ ଫଳାଫଳ ତଥ୍ୟ ଲୋଡ଼ାଯାଇଛି ବୋଲି ହୁ’ ମହାନିର୍ଦ୍ଦେଶକ ଟେଡ୍ରସ ଆଧାନମ୍ ଘେବ୍ରେୟେସସ୍ କହିଛନ୍ତି। ଫାଇଜର ଓ ବାୟୋଏନ୍ଟେକ୍ କମ୍ପାନି ଦ୍ବାରା ବିକଶିତ କୋଭିଡ୍ ଟିକାର ଅନ୍ତର୍ଜାତୀୟ ବ୍ୟବହାର ପାଇଁ ଗତ ୩୧ ତାରିଖରେ ହୁ’ ଆବଶ୍ୟକ ଅନୁମତି ପ୍ରଦାନ କରିଛି।
ଏହାଦ୍ବାରା ବିଭିନ୍ନ ଦେଶ ଉକ୍ତ ଟିକାର ଆମଦାନି ସହ ଦେଶବାସୀଙ୍କ ଟିକାକରଣ ମଧ୍ୟ କରିପାରିବେ। ଅପରପକ୍ଷେ, ଭାରତ ସମେତ ଆର୍ଜେଣ୍ଟିନା, ଡମିନିକ୍ ରିପବ୍ଳିକ୍, ଏଲ୍ ସାଲଭାଡର, ମେକ୍ସିକୋ ଓ ମରକୋ ଆଦି ଦେଶରେ ଏହି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ତେବେ ବିଶେଷ କରି ଏହାର ସହଜ ଉପଲବ୍ଧ ଓ ସୁବିଧାଜନକ ସଂରକ୍ଷଣ ଆବଶ୍ୟକତା ସାଙ୍ଗକୁ ସେପରି କିଛି ଗୁରୁତର ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହେଉନଥିବାରୁ ହୁ’ ପକ୍ଷରୁ ଏହାର ଅନ୍ତର୍ଜାତୀୟ ବ୍ୟବହାର ପାଇଁ ଆଗ୍ରହ ପ୍ରକାଶ କରାଯାଇଛି।
The post କୋଭିସିଲ୍ଡର ଅନ୍ତର୍ଜାତୀୟ ବ୍ୟବହାର ପାଇଁ ‘ହୁ’ ଆଗ୍ରହୀ first appeared on Sambad.
from କରୋନା – Sambad https://ift.tt/2LYpShs
0 Comments