
ନୂଆଦିଲ୍ଲୀ : ଦେଶରେ କୋଭିଡ୍ ଟିକାକରଣର ସୁପରିଚାଳନା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ସଂପୃକ୍ତ ବିଭାଗ ବ୍ୟତୀତ ଅତି କମ୍ରେ ଅନ୍ୟ ୨୦ଟି ମନ୍ତ୍ରଣାଳୟ ଓ ୨୩ଟି ବିଭିନ୍ନ ବିଭାଗର ଭୂମିକା ଅପରିହାର୍ଯ୍ୟ ହୋଇପଡ଼ିଛି। ଏଥିପାଇଁ ବିଭିନ୍ନ ବିଭାଗକୁ ଭିନ୍ନ ଭିନ୍ନ ଦାୟିତ୍ବ ପ୍ରଦାନ କରାଯାଇଥିବା ଜଣାଯାଇଛି। ଟିକାକରଣରେ ସହଯୋଗ କରିବା ଲାଗି ଟିକା ପ୍ରଶାସନର ଜାତୀୟ ବିଶେଷଜ୍ଞ କମିଟି ଦିଗଦର୍ଶନରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଜାତୀୟ ସ୍ତରରେ ସମ୍ମିଳିତ ହେଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସହର ବିକାଶ, ରାଜସ୍ବ, ପୂର୍ତ୍ତ ଓ ଜନସ୍ବାସ୍ଥ୍ୟ ବିଭାଗ ବିଶେଷ କରି ଟିକାକରଣ କେନ୍ଦ୍ର ଚିହ୍ନଟ ସହ ଅନ୍ୟାନ୍ୟ ଦାୟିତ୍ବ ନିର୍ବାହ କରୁଛନ୍ତି। ଯଦିଓ ଦେଶରେ ସମ୍ପ୍ରତି ୮୨ ଲକ୍ଷରୁ ଅଧିକ ଟିକାକରଣ କେନ୍ଦ୍ର ରହିଛି, କୋଭିଡ୍ ଟିକାକରଣ ପାଇଁ ଆବଶ୍ୟକ ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ସ୍ବତନ୍ତ୍ର ଆବଶ୍ୟକତା ରହିଛି। ସେଥିପାଇଁ ଅତିରିକ୍ତ କେନ୍ଦ୍ର ଖୋଜି ବାହାର କରିବା ଲାଗି ବିଭିନ୍ନ ବିଭାଗକୁ ଦାୟିତ୍ବ ଦିଆଯାଇଛି। ଅଦ୍ୟାବଧି ଯଦିଓ ଦେଶରେ ୨୮,୯୦୦ ଶୀତଳୀକୃତ ଟିକା ସଂରକ୍ଷଣ କେନ୍ଦ୍ର ଏବଂ ୮୫,୦୦୦ରୁ ଅଧିକ ସରଞ୍ଜାମ ରହିଛି, ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁତ୍ବ ଦେଇ ଆସିଛି। ପୂର୍ତ୍ତ, ସହର ଓ ଗ୍ରାମାଞ୍ଚଳ ବିକାଶ ଏବଂ ଜନସ୍ବାସ୍ଥ୍ୟ ବିଭାଗକୁ ଟିକାକରଣ କେନ୍ଦ୍ରରେ ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ବୁଝିବା ପାଇଁ କୁହାଯାଇଛି।
ଗ୍ରାମାଞ୍ଚଳ ବିକାଶ ବିଭାଗକୁ ଟିକାକରଣ କେନ୍ଦ୍ରର ପ୍ରସ୍ତୁତି ସହ ପରିଷ୍କାର ପରିଚ୍ଛନ୍ନତା ବୁଝିବା ପାଇଁ କୁହାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଟିକା ଯୋଗାଣ ଓ ତଦାରଖ ଦାୟିତ୍ବ ଦିଆଯାଇଛି। ସେହିପରି ଶାନ୍ତି ଶୃଙ୍ଖଳା ବଜାୟ ସହ ଆବଶ୍ୟକ ମାନବ ସମ୍ବଳ ଯୋଗାଇବା ପାଇଁ ପୁଲିସ, ସୁରକ୍ଷା ବଳ ଓ ମହିଳା ଓ ଶିଶୁ ବିକାଶ ବିଭାଗକୁ କୁହାଯାଇଛି।
The post କୋଭିଡ୍ ଟିକାକରଣରେ ୨୦ ମନ୍ତ୍ରଣାଳୟ, ୨୩ ବିଭାଗ ସାମିଲ first appeared on Sambad.
from କରୋନା – Sambad https://ift.tt/3pLR3KS
0 Comments