
କୋଭିଡ ସେଲ୍ରୁ ଫେରିବେ ଡାକ୍ତର ଓ ଏଏସ୍ଓ
ଜରୁରୀ କାର୍ଯ୍ୟ ପାଇଁ ରହିବେ ୪ଜଣ ଡାକ୍ତର
ଭୁବନେଶ୍ବର : କରୋନା ସଂକ୍ରମଣ ପାଇଁ ବିଏମ୍ସି କୋଭିଡ ସେଲ୍ରେ ନିୟୋଜିତ ହୋଇଥିବା ଡାକ୍ତର, ଅଣ ବିଏମ୍ସି ଓ କର୍ମଚାରୀଙ୍କୁ ନିଜ ବିଭାଗକୁ ଫେରିଯିବାକୁ ନିର୍ଦେଶ ଦିଆଯାଇଛି। ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀଙ୍କ ନିର୍ଦେଶକ୍ରମେ ଭୁବନେଶ୍ବରରେ କରୋନା ସ୍ଥିତିକୁ ଅନୁଧ୍ୟାନ କରିବା ପରେ ସହରାଞ୍ଚଳ କର୍ତୃପକ୍ଷ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏବେ କେବଳ ୪ଜଣ ଡାକ୍ତର ଜରୁରୀ କଣ୍ଟାକ୍ଟ ଟ୍ରେସିଂ ପାଇଁ ନିୟୋଜିତ ରହିବେ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ରାଜଧାନୀରେ କରୋନାର ଦ୍ରୁତ ସଂକ୍ରମଣ ଆରମ୍ଭ ହେବା ପରେ ୧୬୦ରୁ ଅଧିକ ଡାକ୍ତର ବିଏମ୍ସିରେ ଯୋଗ ଦେଇଥିଲେ। ତହିଁରେ ଅଧିକାଂଶ ରହିଥିଲେ ଆୟୁଷ ଡାକ୍ତର। ସେମାନେ ମୁଖ୍ୟ କାର୍ଯ୍ୟାଳୟ, ଜୋନ୍ କାର୍ଯ୍ୟାଳୟଗୁଡ଼ିକରେ କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପରବର୍ତୀ ସମୟରେ ରାଜଧାନୀରେ ସଂକ୍ରମଣ କମିବା ପରେ ସେମାନଙ୍କୁ ନିଜ ନିଜ ସ୍ଥାନକୁ ଫେରାଇ ଦିଆଯାଇଥିଲା। ଏବେ ୧୦ ଜଣ ଡାକ୍ତର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଆହୁରି ୬ଜଣ ଡାକ୍ତରଙ୍କୁ ରିଲିଭ୍ କରିଦିଆଯିବ। ଏହାସହ କୋଭିଡ୍ରେ ୩୬୫ ଅଙ୍ଗନବାଡ଼ି କର୍ମୀ, ୧୮୫ ଆଶା ଓ ୭୭ଜଣ ଏଏନ୍ଏମ୍ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ରାଜଧାନୀରେ ସଂକ୍ରମଣ କମିବା ଓ ଅନ୍ଲକ୍ ପ୍ରକ୍ରିୟା ଜାରି ହେବା ପରେ ଏଏସ୍ଓମାନଙ୍କୁ ମଧ୍ୟ ରିଲିଭ୍ କରାଯାଇଥିବା କହିଛନ୍ତି ବିଏମ୍ସିର ଉପ-କମିସନର ଶୁଭେନ୍ଦୁ ସାହୁ।
ଗତବର୍ଷ ଅଗଷ୍ଟ ଓ ସେପ୍ଟେମ୍ବରରେ ୫୦ ଜଣ ଲେଖାଏଁ ଏଏସ୍ଓ ଓ ୧୫ଜଣ ଲେଖାଏଁ ଡିଇଓ, ଅକ୍ଟୋବରରେ ୩୦ଜଣ ଏଏସ୍ଓ ଓ ୧୦ଜଣ ଡିଇଓ କାର୍ଯ୍ୟ କରୁଥିଲେ। ନଭେମ୍ବର ପରଠାରୁ ୧୫ଜଣ ଏଏସ୍ଓ କାର୍ଯ୍ୟ କରୁଥିବା ବେଳେ ଚଳିତ ମାସ ୨୫ ତାରିଖରେ ସମସ୍ତଙ୍କୁ ସେମାନଙ୍କୁ ନିଜ ସ୍ଥାନକୁ ଫେରାଇ ଦିଆଯାଇଛି। ସେହିପରି ଅନ୍ୟ ବିଭାଗରୁ ଆସିଥିବା ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ନିଜ ବିଭାଗକୁ ଫେରି ଯାଇଛନ୍ତି। ମହାମାରୀ ସମୟରେ ବିଭିନ୍ନ କ୍ୟାମ୍ପ ଆୟୋଜନ, ନାଗରିକ ସଂଯୋଗ କାର୍ଯ୍ୟକ୍ରମ, ଶବଦାହକୁ ତ୍ବରାନ୍ବିତ, କୋଭିଡ୍ ହସ୍ପିଟାଲକୁ ତଦାରଖ, ନାଗରିକଙ୍କ ଅଭିଯୋଗ, ସୂଚନାର ପରିଚାଳନା କରିବା, ବିମାନବନ୍ଦର, ରେଳଷ୍ଟେସନ୍ରେ ଯାତ୍ରୀମାନଙ୍କ ପରୀକ୍ଷା ଦିଗରେ ବରିଷ୍ଠ ଅଧିକାରୀ ଓ ପୁଲିସ କର୍ମଚାରୀ ସହଯୋଗ କରିଥିଲେ।
ଭୁବନେଶ୍ବରରେ ଏବେ ଦୈନିକ କରୋନା ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ଗତ ୨୨ ଓ ୨୩ ତାରିଖରେ ୫ଜଣ ଲେଖାଏ, ୨୪-୨୭ତାରିଖ ପର୍ଯ୍ୟନ୍ତ ୪ଜଣ ଲେଖାଏ, ୨୮ତାରିଖରେ ୮, ୨୯ ତାରିଖରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧,୮୫୭କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଇତିମଧ୍ୟରେ ୩୧,୩୯୨ଜଣ ସୁସ୍ଥ ହୋଇ ସାରିଲେଣି। ରାଜଧାନୀରେ ଏବେ ୧୯୮ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ସମୁଦାୟ ୨୪୬ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି।
The post ଶୂନ୍ ଆଡ଼କୁ ମୁହାଁଉଛି ରାଜଧାନୀରେ କରୋନା ସଂକ୍ରମଣ first appeared on Sambad.
from କରୋନା – Sambad https://ift.tt/2YqFlcW
0 Comments