ନୂଆଦିଲ୍ଲୀ : କରୋନା ଟିକାକୁ ନେଇ ଦେଶବାସୀଙ୍କ ପ୍ରତୀକ୍ଷା ଶେଷ ହୋଇଛି। ଭାରତର ଭେଷଜ ମହାନିୟନ୍ତ୍ରକ(ଡିସିଜିଆଇ) ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ ଅକ୍ସଫୋର୍ଡର ଟିକା ‘କୋଭିସିଲ୍‌ଡ’ ଏବଂ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ ଟିକା ‘କୋଭାକ୍ସିନ’କୁ ଜରୁରୀ ବ୍ୟବହାର ପାଇଁ ମଂଜୁରି ଦେବା ସହିତ ଏହି ଟିକା ୧୧୦ ପ୍ରତିଶତ ନିରାପଦ ବୋଲି କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଡିସିଜିଆଇ ଭି.ଜି. ସୋମାନି କହିଛନ୍ତି, ଉଭୟ ଟିକାକୁ ସବୁ ଦୃଷ୍ଟିରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି ଏବଂ ତାହା ସୁରକ୍ଷା ଦୃଷ୍ଟିରୁ ସଂପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ହୋଇଛି। ତେବେ ଟିକାର କେତେକ ପାଶ୍ବ ପ୍ରତିକ୍ରିୟା ଯଥା ଜ୍ଜର, ସାମାନ୍ୟ ଯନ୍ତ୍ରଣା ଏବଂ ଏଲର୍ଜି ରହିବ ଯାହାକି ସବୁ ଟିକା କ୍ଷେତ୍ରରେ ସ୍ବାଭାବିକ। ବିଶେଷଜ୍ଞ କମିଟି ଟିକାର ସୁପାରିସ କରିବା ପୂର୍ବରୁ ଏ ବାବଦରେ ପର୍ଯ୍ୟାପ୍ତ ଅଧ୍ୟୟନ କରିଛନ୍ତି ସେମାନଙ୍କ ସୁପାରିସ ଆଧାରରେ ଉଭୟ ଟିକାକୁ ମଂଜୁରି ଦିଆଯାଇଛି। ସ୍ବଦେଶୀ ଟିକା କୋଭାକ୍ସିନକୁ ଭାରତ ବାୟୋଟେକ ଏବଂ ଆଇସିଏମ୍‌ଆର୍‌ର ମିଳିତ ପ୍ରୟାସରେ ପ୍ରସ୍ତୁତ କରାଯାଇଛି। ଏହି ଟିକା ଭାରତରେ କରୋନାର ନୂଆ ପ୍ରଜାତିର ଭୂତାଣୁକୁ ସଫଳତାର ସହ ମୁକାବିଲା କରିପାରିବ ବୋଲି ଆଇସିଏମ୍‌ଆର୍‌ ମୁଖ୍ୟ ବଳରାମ ଭାର୍ଗବ କହିଛନ୍ତି। କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୨୩ ହଜାର ସ୍ବେଚ୍ଛାସେବୀ ଭାଗନେବେ ବୋଲି ଜଣାପଡ଼ିଛି।

The post ଟିକା ୧୧୦% ନିରାପଦ: ଡିସିଜିଆଇ first appeared on Sambad.



from କରୋନା – Sambad https://ift.tt/3nb6B9s