
ଭୁବନେଶ୍ବର: ରାଜ୍ୟ ସରକାର ୧୦ମ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବା ନେଇ ଗାଇଡଲାଇନ୍ ଜାରି କରିଛନ୍ତି। କିନ୍ତୁ ହଷ୍ଟେଲରେ ପିଲାମାନଙ୍କୁ ରଖିବାକୁ ହେଲେ ସେମାନଙ୍କର ଅଭିଭାବକଙ୍କ ଲିଖିତ ଅନୁମତି ଦରକାର। ଗାଇଡଲାଇନ ଅନୁସାରେ ଅନ୍ଲାଇନ ଶିକ୍ଷାର ସୁବିଧା ନଥିବା ପିଲାଙ୍କୁ ହଷ୍ଟେଲରେ ରହଣି ପାଇଁ ଅଗ୍ରାଧିକାର ଦିଆଯିବ। ସେହିଭଳି ପିଲାମାନେ ହଷ୍ଟେଲରେ ପହଂଚିବା ପୂର୍ବରୁ ସେମାନଙ୍କର ସ୍କ୍ରିନିଂ କରାଯିବ। କେବଳ କୋଭିଡ ଲକ୍ଷଣ ନ ଥିବା ପିଲାମାନଙ୍କୁ ହିଁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ। ହଷ୍ଟେଲରେ ସମସ୍ତ କର୍ମଚାରୀମାନଙ୍କର ସ୍କ୍ରିନିଂ କରାଯିବ।
ଗାଇଡଲାଇନ ଅନୁସାରେ ପ୍ରତିଦିନ ଛାତ୍ରଛାତ୍ରୀ ଓ ହଷ୍ଟେଲ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। କୌଣସି ଅଜଣା ଲୋକଙ୍କୁ ହଷ୍ଟେଲ ଭିତରକୁ ଛଡ଼ାଯିବ ନାହିଁ। ବାହାରୁ ହଷ୍ଟେଲ ଭିତରକୁ ଖାଦ୍ୟ ଅଣାଯାଇପାରିବ ନାହିଁ। ହଷ୍ଟେଲରେ ସାମାଜିକ ଦୂରତା ଓ କୋଭିଡ ନିୟମ ମାନିବାକୁ ପଡ଼ିବ। ଯଦି ହଷ୍ଟେଲରେ ସ୍ଥାନର ଅଭାବ ଥିବ ତେବେ କର୍ତ୍ତୃପକ୍ଷଙ୍କୁ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିବ। ସାମାଜିକ ଦୂରତା ବଜାୟ ରଖିବା ନେଇ ହଷ୍ଟେଲରେ ସାଇନବୋର୍ଡ ଲାଗିବ। ବସ୍ ଓ ଟ୍ରେନରେ ଆସୁଥିଲେ ପିଲାମାନେ ସତର୍କତାର ସହ ହଷ୍ଟେଲକୁ ଆସିବେ। ସପ୍ତାହକୁ ଥରେ ପିଲାଙ୍କ ଖାଦ୍ୟ ପ୍ରସ୍ତୁତିର ତଦାରଖ କରିବେ ମେଡିକାଲ ଟିମ। ଖେଳ, ସଂଗୀତ ପରି ସାମୂହିକ ସମାବେଶରୁ ଦୂରରେ ରହିବାକୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି। ପିଲାମାନେ ନିଜ ନିଜ ଭିତରେ ଖାଦ୍ୟପେୟ ଆଦାନ ପ୍ରଦାନ କରିପାରିବେ ନାହିଁ। ହଷ୍ଟେଲ ପରିସରକୁ ବାରମ୍ବାର ସାନିଟାଇଜ କରିବାକୁ ପଡ଼ିବ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତକାଲି ସ୍କୁଲ ଖୋଲିବା ନେଇ ଗାଇଡଲାଇନ ଜାରି କରିଥିଲେ। ଗାଇଡଲାଇନ ଅନୁସାରେ ଆସନ୍ତା ୮ ତାରିଖ ଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ଯାଇ ଅଫଲାଇନରେ ପାଠ ପଢ଼ିବେ।
The post ୧୦ମ ଓ ୧୨ଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବା ନେଇ ଗାଇଡଲାଇନ୍ ଜାରି first appeared on Sambad.
from କରୋନା – Sambad https://ift.tt/3580tZg
0 Comments