ନୂଆଦିଲ୍ଲୀ: ପ୍ରାୟ ବର୍ଷକ ତଳେ ୨୦୧୯ ନଭେମ୍ବରରେ ଚୀନ୍‌ର ଉହାନ ସହରରେ ପ୍ରଥମ ଥର ପାଇଁ ଅଭିନବ କରୋନା ଭୂତାଣୁ ଆବିର୍ଭାବ ହେବା ପରଠାରୁ ସାରା ବିଶ୍ବରେ ଏବେ ୪ ପ୍ରକାର ନୂତନ ପ୍ରଜାତିର ରୂପାନ୍ତରିତ କରୋନା ଭୂତାଣୁ ଘୂରି ବୁଲୁଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ଏକ ରିପୋର୍ଟରେ କୁହାଯାଇଛି। ଏପରିକି ସମୟ ସମୟରେ ବିଶ୍ବର ସ୍ଥାନେ ସ୍ଥାନେ ଭିନ୍ନ ଭିନ୍ନ ଅସ୍ବାଭାବିକ ସ୍ବାସ୍ଥ୍ୟ ସମସ୍ୟା ନଜରକୁ ଆସିଛି ଯାହା କି ଅଭିନବ କରୋନା ଭୂତାଣୁ ସାର୍ସ-କୋଭ୍‌-୨ର ରୂପାନ୍ତରିତ ପ୍ରଜାତି ଦ୍ବାରା ସଂଘଟିତ ବୋଲି ହୁ ପକ୍ଷରୁ କୁହାଯାଇଛି। ଉଦାହରଣ ସ୍ବରୂପ, ଗତବର୍ଷ ଜାନୁଆରି ଶେଷଭାଗ କିମ୍ବା ଫେବ୍ରୁଆରି ପ୍ରଥମାର୍ଦ୍ଧରେ ସାର୍ସ-କୋଭ୍‌-୨ର ସ୍ପାଇକ୍‌ ପ୍ରୋଟିନ୍‌ରେ ଡି୬୧୪ଡି ନାମକ ସାମାନ୍ୟ ପରିବର୍ତ୍ତନ ସହ ଏକ ପ୍ରକାର ନୂତନ ପ୍ରଜାତିର କରୋନା ଭୂତାଣୁ ଦେଖାଦେଇଥିଲା। ଗତ ଜୁନ୍‌ ବେଳକୁ ଏହା ବିଶ୍ବସ୍ତରରେ ଏକ ପ୍ରମୁଖ ରୂପାନ୍ତରିତ ପ୍ରଜାତି ଭାବେ ବିବେଚିତ ହୋଇଥିଲା। ସେହିପରି ଗତ ସେପ୍ଟେମ୍ବରରେ ବ୍ରିଟେନ୍‌ରେ ଭିୟୁଆଇ-୨୦୨୦୧୨/୦୧ ବା ବି.୧.୧.୭ ନାମକ ଏକ ନୂତନ ରୂପାନ୍ତରିତ ପ୍ରଜାତିର ଭୂତାଣୁ ପୂର୍ବାପେକ୍ଷା ୭୦ ପ୍ରତିଶତ ଅଧିକ ସଂକ୍ରମଣକ୍ଷମ ବୋଲି କୁହାଯାଉଛି। ତେବେ ଏଭଳି ରୂପାନ୍ତରିତ ପ୍ରଜାତି ମୂଳ ଭୂତାଣୁ ଅପେକ୍ଷା ସଂକ୍ରାମକ ହେଲେ ହେଁ ସେତେ ମାରାତ୍ମକ ନୁହେଁ, ତେଣୁ ସେଥିପ୍ରତି ଲୋକେ ବିଚଳିତ ନହେବାକୁ ହୁ ପରାମର୍ଶ ଦେଇଛି।

The post ବିଶ୍ବରେ ୪ ପ୍ରକାର ରୂପାନ୍ତରିତ କରୋନା ଭୂତାଣୁ ଘୂରିବୁଲୁଛି: ହୁ first appeared on Sambad.



from କରୋନା – Sambad https://ift.tt/2JIocYz