
ନୂଆଦିଲ୍ଲୀ: ଆଗକୁ ମହାମାରୀ କୋଭିଡ୍-୧୯ ଠାରୁ ବି ଅଧିକ ଭୟଙ୍କର ରୋଗ ପୃଥିବୀବାସୀଙ୍କୁ ବ୍ୟାପିବାର ଆଶଙ୍କା ରହିଛି। ପ୍ରାୟ ଚାରି ଦଶନ୍ଧି ତଳେ ୧୯୭୬ ମସିହାରେ ଇବୋଲା ରୋଗର ଆବିଷ୍କାର କରିଥିବା ବୈଜ୍ଞାନିକ ପ୍ର. ଜିନ୍-ଜ୍ୟାକ୍ସ ମୁୟେମ୍ବେ ତାମ୍ଫୁମ୍ ଏହି ଚେତାବନୀ ଦେଇଛନ୍ତି। ଏବେ ଆଫ୍ରିକାର ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲରେ ଦେଖା ଦେଇଥିବା ଏକାଧିକ ଅଜଣା ତଥା ଅଧିକ ଘାତକ ଭୂତାଣୁ ସମୟାନୁକ୍ରମେ ମାନବ ସମାଜକୁ ଗ୍ରାସିବାର ଆଶଙ୍କା ରହିଥିବାରୁ ସେ ଏଭଳି ଭବିଷ୍ୟବାଣୀ କରିଛନ୍ତି। ଏପରିକି କଙ୍ଗୋ ଦେଶର ଏକ ସୁଦୂର ସହରରେ ଜଣେ ମହିଳାଙ୍କ ଠାରେ ରକ୍ତସ୍ରାବୀ ଜ୍ବର(ହେମୋରେଜିକ୍)ର ଲକ୍ଷଣ ଆଣିଥିବା ଏକ ଅଜଣା ରୋଗ ସେଭଳି କୌଣସି ମାରାତ୍ମକ ଭୂତାଣୁର ଆବିର୍ଭାବକୁ ଇଙ୍ଗିତ କରୁଛି ବୋଲି ଚର୍ଚ୍ଚା ହେଉଛି। ସିଏନ୍ଏନ୍ର ରିପୋର୍ଟ ଅନୁଯାୟୀ, କଙ୍ଗୋ ଇଞ୍ଜେଡ୍ ସହରର ଉକ୍ତ ଅସୁସ୍ଥ ମହିଳାଙ୍କର ପରୀକ୍ଷା ନିରୀକ୍ଷା ପରେ ତାଙ୍କ ଠାରେ ଇବୋଲା ସମେତ ଆହୁରି ଏକାଧିକ ରୋଗ ପାଇଁ ପଜିଟିଭ୍ ଲକ୍ଷଣ ଥିବା ଜଣାପଡ଼ିଥିଲା।
ସୁତରାଂ ତାହାକୁ ଏକ ଅଜଣା ରୋଗ ବା ଡିଜିଜ୍-ଏକ୍ସ ଭାବେ ବିଶେଷଜ୍ଞମାନେ ବର୍ଗୀକୃତ କରିଛନ୍ତି। ଡିଜିଜ୍-ଏକ୍ସର ଅର୍ଥ ଅପ୍ରତ୍ୟାଶିତ ବୋଲି କୁହାଯାଇଛି। ଅର୍ଥାତ୍ ଏହି ରୋଗ ଏକ ପ୍ରକାର ଅପ୍ରତ୍ୟାଶିତ ଭୂତାଣୁ ଦ୍ବାରା ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। କୋଭିଡ୍-୧୯ ଠାରୁ ଏହି ରୋଗ ଅଧିକ ବେଗରେ ବ୍ୟାପିବା ସହ ଇବୋଲା ପରି ୫୦ରୁ ୯୦ ପ୍ରତିଶତ ମୃତ୍ୟୁହାର ରହିଥିବା କୁହାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଏକ କାଳ୍ପନିକ ରୋଗ ଭାବେ ଗ୍ରହଣ କରି ଗବେଷଣା ଆରମ୍ଭ କରିଦେଇଛି। ସମ୍ପ୍ରତି ଆମେ ଏଭଳି ଏକ ପୃଥିବୀରେ ବାସ କରୁଛନ୍ତି, ଯେଉଁଠି ନୂଆ ଭୂତାଣୁମାନେ ଆବିର୍ଭାବ ହେବାର ସମସ୍ତ ସମ୍ଭାବନା ରହିଛି ଯାହା ମାନବ ସମାଜ ପାଇଁ ଏକ ଆହ୍ବାନ ବୋଲି ପ୍ର. ତାମ୍ଫୁମ୍ କହିଛନ୍ତି। ଏଥି ସହିତ ଆମକୁ ପଶୁଙ୍କ ଠାରୁ ମନୁଷ୍ୟ ଶରୀରକୁ ଡେଇଁଲା ଭଳି ଅନେକ ରୋଗର ଶିକାର ହେବାକୁ ପଡ଼ିପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି।
The post ଇବୋଲା ଆବିଷ୍କାରକଙ୍କ ଚେତାବନୀ: କୋଭିଡ୍ଠୁ ଭୟଙ୍କର ରୋଗ ଆସିବ first appeared on Sambad.
from କରୋନା – Sambad https://ift.tt/3pNLnQD
0 Comments