ନୂଆଦିଲ୍ଲୀ : ଦେଶର ସମସ୍ତ ରାଜ୍ୟରେ ଆଜି କୋଭିଡ୍‌ ଟିକାର ଡ୍ରାଏରନ୍‌ ହୋଇଛି। ପ୍ରକୃତ ଟିକାକରଣ ପୂର୍ବରୁ ଏହା ଏକ ଡମି କାର୍ଯ୍ୟକ୍ରମ। ଏଥିରେ ଆଗକୁ ଆସୁଥିବା ଚ୍ୟାଲେଂଜଗୁଡ଼ିକୁ ଚିହ୍ନଟ କରି ତାହାର ତୁରନ୍ତ ସମାଧାନ ବାହାର କରାଯାଇପାରିବ। ଗତକାଲି ଭାରତର ସିରମ୍‌ ଇନ‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଟକୁ ଏକ ସରକାରୀ ବିଶେଷଜ୍ଞ କମିଟି ମଂଜୁର ଦେଇଥିବା ବେଳେ ଆଜି ଦେଶବ୍ୟାପୀ ସବୁ ରାଜ୍ୟରେ ଟିକାର ଡ୍ରା‌ଏରନ୍‌ ହୋଇଥିଲା। ଆଗକୁ ଟିକାକରଣ କାର୍ଯ୍ୟକ୍ରମ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଏହା ଏକ ପୂର୍ବାଭ୍ୟାସ ଥିଲା। ଟିକାକରଣ ପାଇଁ ସବୁ ରାଜ୍ୟ ପ୍ରସ୍ତୁତ ରହିଥିବା କହିଛନ୍ତି। ପ୍ରଥମ ଥର ପାଇଁ ଗତ ଡିସେମ୍ବର ୨୮ ଏବଂ ୨୯ ତାରିଖରେ ଆସାମ, ଆନ୍ଧ୍ରପ୍ରଦେଶ, ପଂଜାବ ଏବଂ ଗୁଜରାଟରେ କୋଭିଡ୍‌ ଟିକାର ଡ୍ରାଏରନ୍‌ ହୋଇଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏହି ପରିପ୍ରେକ୍ଷୀରେ କହିଛନ୍ତି, କରୋନା ଟିକାର ସୁରକ୍ଷା ପ୍ରସଙ୍ଗରେ କୌଣସି ଦ୍ବନ୍ଦ୍ବ ନରହିବା ଉଚିତ୍‌। ଟିକା ବାବଦ ତଥ୍ୟକୁ ଭଲଭାବେ ଯାଞ୍ଚ କରାଯାଇଛି। ପୋଲିଓ ଟିକା ଆରମ୍ଭ ହେବା ସମୟରେ ମଧ୍ୟ ଗୁଜବ ହୋଇଥିଲା। ତେବେ କୌଣସି ଗୁଜବରେ ବିଶ୍ବାସ ନ କରିବାପାଇଁ ହର୍ଷବର୍ଦ୍ଧନ କହିଛନ୍ତି।

ଡ୍ରାଏରନ୍‌ ସମୀକ୍ଷା ପାଇଁ ହର୍ଷବର୍ଦ୍ଧନ ନିଜେ ଦିଲ୍ଲୀ ସ୍ଥିତ ଜିଟିବି ହସ୍ପିଟାଲ୍‌ ଯାଇଥିବା କହିଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ସରକାର ଗତ ୪ ମାସ ଧରି ଟିକାକରଣ କାର୍ଯ୍ୟ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ଡିସିଜିଆଇ ଖୁବ୍‌ ଶୀଘ୍ର ଟିକାକରଣ ସଂକ୍ରାନ୍ତ ନିଷ୍ପତ୍ତି ନେବେ। ତେବେ ଦେଶବ୍ୟାପୀ ଆଜି ୧୧୬ ଜିଲ୍ଲାର ୨୫୯ ସାଇଟ୍‌ରେ ଡ୍ରାଏରନ୍‌ କାର୍ଯ୍ୟ ପରିଚାଳନା କରାଯାଇଛି। ଟିକା ଦେବାପାଇଁ ୯୬ ହଜାର କର୍ମୀଙ୍କୁ ତାଲିମ ଦିଆଯାଇଛି। ଡ୍ରାଏରନ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତି ସ୍ଥାନରେ ୨୫ ସ୍ବାସ୍ଥ୍ୟ କର୍ମୀ ଡମି ଟିକା ନେବେ। ଗତକାଲି ହର୍ଷବର୍ଦ୍ଧନ ଡ୍ରାଏରନ୍‌କୁ ନିର୍ବାଚନ ସହ ତୁଳନା କରିଥ‌ିଲେ। ଭାରତ ଭଳି ବିଶାଳ ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟା ଯେଭଳି ସଫଳତାର ସହ ସଂପନ୍ନ ହେଉଛି, ସେହି ପଦ୍ଧତି ବ୍ୟବହାର କରି ପ୍ରତ୍ୟେକ ଅଂଚଳକୁ ଟିକା ଚାଲାଣ, ସଂରକ୍ଷଣ ଏବଂ ଲୋକଙ୍କୁ ଉପଲବ୍ଧ କରାଇବା ଯୋଜନା ଚୂଡ଼ାନ୍ତ କରାଯାଉଛି ବୋଲି ସେ କହିଛନ୍ତି। ଦିଲ୍ଲୀରେ ତେଜ ବାହାଦୁର ହସ୍ପିଟ‌ାଲ୍‌, ଦରିୟାଗଞ୍ଜରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଭେଙ୍କଟେଶ୍ବର ହସ୍ପିଟାଲ୍‌ରେ ଡ୍ରାଏରନ୍‌ ହୋଇଥିଲା। ସେହିପରି ଲକ୍ଷ୍ନୌରେ ୬ଟି ସ୍ଥାନ, ପୁନେରେ ୩ଟି ସ୍ଥାନରେ ଡ୍ରା‌ଏରନ୍‌ ହୋଇଛି। ଗୁଜରାଟର ୪ ଜିଲ୍ଲା, ପଂଜାବର ପଟିଆଲା ଏବଂ ହରିୟାଣାର ପଞ୍ଚକୁଳାରେ ଟିକାର ଡ୍ରାଏରନ୍‌ ପରିଚାଳନା ହୋଇଛି। କେରଳର ୪ଟି ଜିଲ୍ଲାରେ ମଧ୍ୟ ଟିକାର ଡ୍ରାଏରନ୍‌ ହୋଇଛି।

The post ଦେଶବ୍ୟାପୀ କୋଭିଡ୍‌ ଟିକାର ଡ୍ରାଏରନ୍‌ first appeared on Sambad.



from କରୋନା – Sambad https://ift.tt/2JE1RLL