
ନୂଆଦିଲ୍ଲୀ: କରୋନା ମହମାରୀର ମୁକାବିଲା ପାଇଁ ଦେଶକୁ ଆଜି ପ୍ରଥମ ସ୍ବଦେଶୀ ଟିକା ମିଳିଛି। ଭାରତ ବାୟୋଟେକ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍)ର ମିଳିତ ପ୍ରୟାସରେ ପ୍ରସ୍ତୁତ ହୋଇଥିବା କୋଭିଡ୍ ଟିକା ‘କୋଭାକ୍ସିନ’ର ଜରୁରୀକାଳୀନ ବ୍ୟବହାର ପାଇଁ ଆଜି ବିଶେଷଜ୍ଞ କମିଟି ମଂଜୁରି ଦେଇଛନ୍ତି। ଏହା ପୂର୍ବରୁ ଗତକାଲି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିଡ୍ ଟିକା ‘କୋଭିସିଲ୍ଡ’କୁ ଜରୁରୀ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ଅନୁମତି ଦେଇଥିଲେ। ଆଜିର ବୈଠକରେ ଭାରତ ବାୟୋଟେକ୍ ଏବଂ ଫାଇଜର କମ୍ପାନି ପକ୍ଷରୁ ନିଜ ନିଜ ଟିକା ନେଇ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଟିକା ପ୍ରସ୍ତୁତକାରୀ ସଂସ୍ଥାମାନଙ୍କୁ ସେମାନଙ୍କ ଟିକା ସଂପର୍କିତ ସମସ୍ତ ତଥ୍ୟ, ଉପଯୋଗ, ପ୍ରଭାବ, ସଫଳତା, ସଂରକ୍ଷଣ ଏବଂ ପରିବହନ ବାବଦରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଥିଲା। ଭାରତ ବାୟୋଟେକ ‘କୋଭାକ୍ସିନ୍’ ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବାକୁ ଡିସେମ୍ବର ୭ରେ ଆବେଦନ କରିଥିଲା। ଟିକା ବାବଦରେ ନିଷ୍ପତ୍ତି ନେବାକୁ ଗଠିତ ବିଶେଷଜ୍ଞ କମିଟି ଟିକାର ନିରାପତ୍ତା ଏବଂ ଫଳପ୍ରଦତାକୁ ତନ୍ନ ତନ୍ନ କରି ପରୀକ୍ଷା କରିବା ସହ ସମସ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣର ରିପୋର୍ଟକୁ ଅନୁଧ୍ୟାନ କରିଥିଲେ। ଆଜି ଏ ବାବଦରେ ଅନୁଷ୍ଠିତ ତୃତୀୟ ବୈଠକରେ ବିଶେଷଜ୍ଞ କମିଟି କୋଭାକ୍ସିନ୍କୁ ମଂଜୁରି ଦେଇଥିଲେ।
ଉଭୟ ଅକ୍ସଫୋର୍ଡ ଏବଂ ଭାରତ ବାୟୋଟେକ୍ ଟିକାର ବ୍ୟବହାର ପାଇଁ ବିଶେଷଜ୍ଞ କମିଟି କେତେକ ସର୍ତ୍ତ ରଖିଛନ୍ତି। ଟିକା ଗ୍ରହଣ କରୁଥିବା ଲୋକଙ୍କ ବୟସ, ରୋଗ ପ୍ରତିରୋଧକ ଶକ୍ତି, ଟିକାର ଦୁଇଟି ଡୋଜ୍ ପ୍ରଦାନ ମଧ୍ୟରେ ରହିବାକୁ ଥିବା ସମୟସୀମା ଆଦିକୁ ବିଚାରକୁ ନେଇ ଏହାର ପ୍ରୟୋଗ କରାଯିବାକୁ କୁହାଯାଇଛି । ପୁନେର ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ପୃଥକ୍ କରାଯାଇଥିବା କରୋନାଭୂତାଣୁର ନିଷ୍କ୍ରିୟ ରୂପକୁ ବ୍ୟବହାର କରି ଭାରତ ବାୟୋଟେକ ଏବଂ ଆଇସିଏମ୍ଆର୍ କୋଭାକ୍ସିନ ପ୍ରସ୍ତୁତ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷଣରେ ଏହି ଟିକା ୯୦ ପ୍ରତିଶତ ଏଣ୍ଟିବଡ଼ି ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା। ଏବେ ଦେଶରେ ଦୁଇଟି ଟିକାକୁ ଅନୁମୋଦନ ମିଳିସାରିଥିବାରୁ ଆନୁଷ୍ଠାନିକ ଭାବେ ଟିକାକରଣର ତାରିଖ ଖୁବ୍ଶୀଘ୍ର ଘୋଷଣା ହୋଇପାରେ ବୋଲି କୁହାଯାଉଛି ।
The post ‘କୋଭିସିଲ୍ଡ’ ପରେ ‘କୋଭାକ୍ସିନ୍’କୁ ମଞ୍ଜୁରି, ଦେଶକୁ ମିଳିଲା ପ୍ରଥମ ସ୍ବଦେଶୀ କରୋନା ଟିକା first appeared on Sambad.
from କରୋନା – Sambad https://ift.tt/2X7bLJ3
0 Comments