ନୂଆଦିଲ୍ଲୀ: ଗତ ୨୦୧୯ ନଭେମ୍ବର ମାସରୁ ଚୀନ୍‌ର ଊହାନ୍‌ରେ ପ୍ରଥମ ସଂକ୍ରମଣ ଚିହ୍ନଟ ହେବା ପର ଠାରୁ ସମଗ୍ର ବିଶ୍ୱରେ ଅନ୍ୟୂନ ୪ ପ୍ରକାରର ଗୁଣସୂତ୍ର ପରିବର୍ତ୍ତିତ କରୋନାଭାଇରସ୍‌ ଘୂରିବୁଲୁଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ମହାମାରୀ ଆରମ୍ଭ ହେବା ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପାଇଥିବା କେତେକ ଅସ୍ୱାଭାବିକ ଜନସ୍ୱାସ୍ଥ୍ୟ ରିପୋର୍ଟ ସବୁ ପରିବର୍ତ୍ତିତ କରୋନାଭାଇରସ୍‌ ସଂକ୍ରମଣଜନିତ ହୋଇଥାଇ ପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ୨୦୨୦ ଜାନୁଆରି ଶେଷ ଭାଗ କିଂବା ଫେବ୍ରୁଆରି ପ୍ରଥମ ଭାଗରେ ‘ଡି୬୧୪ଜି’ ପ୍ରୋଟିନ୍‌ ସ୍ପାଇକ୍‌ ଥିବା ‘ସାର୍ସ-କୋଭ୍‌-୨’ ଭୂତାଣୁ ଦେଖାଦେଇଥିଲା। ଏହାର କିଛି ମାସ ପରେ ଏହି ଭୂତାଣୁର ଗୁଣସୂତ୍ର ପରିବର୍ତ୍ତିତ ରୂପ ଚୀନ୍‌ରେ ଚିହ୍ନଟ କରାଯାଇଥିଲା।

ବିଶ୍ୱରେ ବିସ୍ତାର ଲାଭ କରୁଥିବା କରୋନାଭାଇରସ୍‌ ଠାରୁ ଏହି ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ୨୦୨୦ ଜୁନ୍‌ ସୁଦ୍ଧା ଅଧିପତ୍ୟ ବିସ୍ତାର କରିଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। କିନ୍ତୁ, ଏହି ଭୂତାଣୁ ସଂକ୍ରମଣ କୌଣସି ଭୀଷଣ ଅସୁସ୍ଥତାର କାରଣ ହୋଇ ନ ଥିବା କଥା ଅଧ୍ୟୟନରୁ ଜଣାପଡ଼ିଥିଲା।

Image Courtesy of India TV News

ଏହାପରେ ୨୦୨୦ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ କରୋନାଭାଇରସ୍‌ର ଦ୍ୱିତୀୟ ପ୍ରକାରର ଗୁଣସୂତ୍ର ପରିବର୍ତ୍ତିତ ରୂପ ରିପୋର୍ଟ ହୋଇଥିଲା। ଏହି ଭୂତାଣୁ ପାଳିତ ‘ମିଙ୍କ୍‌’ମାନଙ୍କ (ଓଧଜାତୀୟ ପ୍ରାଣୀ) ଠାରୁ ମାନବ ଶରୀରକୁ ସଂକ୍ରମିତ ହୋଇଥିବା କୁହାଯାଏ। କରୋନାଭାଇରସ୍‌ର ଏହି ପରିବର୍ତ୍ତିତ ରୂପ ‘କ୍ଲଷ୍ଟର୍‌୫’ ଡେନ୍‌ମାର୍କର ଉତ୍ତର ଜୁଟ୍‌ଲାଣ୍ଡ୍‌ରେ ଚିହ୍ନଟ ହୋଇଥିଲା। ଏହା ମଧ୍ୟ ବିଶେଷ ଅସୁସ୍ଥତା କାରଣ ହୋଇ ନ ଥିଲା।

ପୁଣି ୨୦୨୦ ଡିସେମ୍ବର ୧୪ ତାରିଖରେ ଇଂଲଣ୍ଡ୍‌ କରୋନାଭାଇରସ୍‌ର ଆଉ ଏକ ପରିବର୍ତ୍ତିତ ରୂପ ‘୨୦୨୦୧୨/୦୧’ ଚିହ୍ନଟ କରିଥିଲା। ଏହାର ଉତ୍ପତ୍ତି କେଉଁଠୁ ହେଲା ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଏହା ପ୍ରଥମ କରୋନାଭାଇରସ୍‌ ଠାରୁ ୭୦% ଅଧିକ ସଂକ୍ରମଶୀଳ ବୋଲି ବୈଜ୍ଞାନିକମାନେ କହୁଛନ୍ତି।

ଏହାଛଡ଼ା ଦକ୍ଷିଣ ଆଫ୍ରିକାରେ ମଧ୍ୟ କରୋନାଭାଇରସ୍‌ର ଅନ୍ୟ ଏକ ପରିବର୍ତ୍ତିତ ରୂପ ‘୫୦୧ଓ୍ଵାଇ.ଭି.୨’ ଚହ୍ନଟ କରାଯାଇଛି।

The post ବିଶ୍ୱରେ ୪ ପ୍ରକାରର ଗୁଣସୂତ୍ର ପରିବର୍ତ୍ତିତ କରୋନାଭାଇରସ୍‌ ଘୂରିବୁଲୁଛନ୍ତି: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ first appeared on Sambad.



from କରୋନା – Sambad https://ift.tt/3n958jR