
ଭୁବନେଶ୍ବର : ରାଜ୍ୟର ସବୁଠୁ ବଡ଼ ହଟସ୍ପଟ୍ ଅଞ୍ଚଳ ଥିବା ଭୁବନେଶ୍ବରରେ ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ନୂଆବର୍ଷରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଛି। ଆଜି ମାତ୍ର ୮ଜଣ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ଦୁଇ ଅଙ୍କକୁ ଖସିବା ପରେ ଏବେ ଏକ ଅଙ୍କକୁ ଖସିଥିବାରୁ ଖୁବ୍ ଶୀଘ୍ର ଏହା ଶୂନରେ ପହଞ୍ଚିବାର ସମ୍ଭାବନା ସୃଷ୍ଟି ହୋଇଛି।
ମାର୍ଚ୍ଚ ଓ ଏପ୍ରିଲ ମାସରେ ରାଜଧାନୀରେ ଅଧିକାଂଶ ଦିନ ୧୦ରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ସେହି ସ୍ଥିତିକୁ ଆସିଛି। କିନ୍ତୁ ସେତେବେଳେ ଏତିକି ଆକ୍ରାନ୍ତ ଚିହ୍ନଟ ହେଲେ ରାଜଧାନୀବାସୀଙ୍କ ମନରେ ଯେମିତି ଭୟ ସୃଷ୍ଟି ହେଉଥିଲା, ଏବେ ସେ ଭୟ ସୃଷ୍ଟି ହେଉନି। ବରଂ ଯେତେ କମ୍ ଆକ୍ରାନ୍ତ ବାହାରୁଛନ୍ତି, ରାଜଧାନୀବାସୀ ସେତେ ଆଶ୍ବସ୍ତ ହେଉଛନ୍ତି।
ପ୍ରାୟ ୮ ମାସ ପରେ ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କକୁ ଖସିବା ପରେ ଖୁବ୍ ଶୀଘ୍ର ରାଜଧାନୀ କରୋନାମୁକ୍ତ ହେବାର ଆଶା ସୃଷ୍ଟି ହୋଇଛି। ଚଳିତବର୍ଷ ପ୍ରଥମ ତିନି ଦିନରେ ଯଥାକ୍ରମେ ୧୩, ୯ ଓ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତିନି ଦିନରେ ମୋଟ୍ ୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ଏବେ ୨୦୮ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଗତବର୍ଷ ଶେଷ ପର୍ଯ୍ୟନ୍ତ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ହେଁ ହଠାତ୍ ବଢ଼ି ଯାଉଥିଲା। ଏପରିକି ଦିନେ ୨୦ ତଳକୁ ଖସିଥିଲେ, ତା’ ପରଦିନ ଏହା ୪୦ ଟପି ଯାଉଥିଲା। ଯାହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ଥିଲା। ନୂଆ ବର୍ଷରେ ଲଗାତାର ତିନି ଦିନ ଆକ୍ରାନ୍ତଙ୍କ ସଂଖ୍ୟା କମିଚାଲିଥିବାରୁ ଏବଂ ଏହା ଏକ ଅଙ୍କ ଛୁଇଁଥିବାରୁ ସମସ୍ତଙ୍କୁ ଆଶ୍ବସ୍ତ କରିଛି।
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀ ଏବେ କରୋନା ଶୂନ୍ୟ ହେବାକୁ ଯାଉଛି। ଏବେ ଯେଉଁଭଳି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଥିରୁ ଆକଳନ କରାଯାଉଛି ଯେ ଜାନୁଆରି ଶେଷ କିମ୍ବା ଫେବ୍ରୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା ରାଜଧାନୀରେ କେହି କରୋନା ଆକ୍ରାନ୍ତ ନଥିବେ। ବହୁ ଲୋକଙ୍କ ମଧ୍ୟରେ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ସାରିଛି। କରୋନା ସଂକ୍ରମଣ ଅଧିକ ବ୍ୟାପୁନି। ହେଲେ ଆମକୁ ଆଉ କିଛି ଦିନ ସଚେତନ ରହିବାକୁ ପଡ଼ିବ। ବିଏମ୍ସିର ହିସାବ ଅନୁଯାୟୀ, ଆଜି ସୁଦ୍ଧା ୩୧,୬୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧,୧୯୩ଜଣ ସୁସ୍ଥ ହୋଇସାରିଲେଣି। ୨୪୨ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏବେ ଦୈନିକ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଥିରୁ ୮୦ରୁ ୯୦%ସ୍ଥାନୀୟ ସଂକ୍ରମିତ।
The post ଶୂନ୍ମୁହାଁ ରାଜଧାନୀ, ଏକ ଅଙ୍କକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.
from କରୋନା – Sambad https://ift.tt/3b5aWss
0 Comments