
ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍’ ‘ଡ୍ରଗ୍ସ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କ (ଡିସିଜିଆଇ)ଅନୁମୋଦନ ନିମନ୍ତେ ଆବେଦନ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ଇଂଲଣ୍ଡ୍ ଏବଂ ବାହାରିନ୍ରେ ଏହି ଟିକା ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ପ୍ରଥମ ଥର ପାଇଁ ‘ଡିସିଜିଆଇ’ ଏ ଭଳି ଅନୁରୋଧ ପାଇଛି। ଟିକା ଆମଦାନି କରି ଦେଶରେ ବଣ୍ଟନ କରିବାକୁ ଡିସେମ୍ବର ୪ ତାରିଖ ଦିନ ଦାଖଲ ହୋଇଥିବା ଏହି ଆବେଦନରେ ‘ଫାଇଜର୍ ଇଣ୍ଡିଆ’ ଅନୁମତି ମାଗିଛି। ଏଥିସହ ୨୦୧୯ ‘ନିଉ ଡ୍ରଗ୍ ଆଣ୍ଡ୍ କ୍ଲିନିକାଲ୍ ଟ୍ରାଏଲ୍ସ୍ ରୁଲ୍ସ୍’ରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଭାରତବାସୀଙ୍କ ଉପରେ ଏହି ଟିକାର ନୈଦାନିକ ପରୀକ୍ଷଣ ଛାଡ଼ କରିବାକୁ ମଧ୍ୟ ଫାଇଜର୍ ଅନୁମତି ଲୋଡ଼ିଛି।
ଫାଇଜର୍ ଏବଂ ତା’ର ଜର୍ମାନ ବାୟୋଟେକ୍ନୋଲୋଜି ଅଂଶୀଦାର ‘ବାୟୋଏନ୍ଟେକ୍’ଦ୍ୱାରା ମିଳିତ ଭାବେ ବିକଶିତ ଏହି କୋଭିଡ୍-୧୯ ଟିକାକୁ ଗତ ବୁଧବାର ଦିନ ପ୍ରଥମେ ଇଂଲଣ୍ଡ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲା। ଏହି ଟିକା କରୋନାଭାଇରସ୍ ବିରୁଦ୍ଧରେ ୯୦%ରୁ ଅଧିକ ଫଳପ୍ରଦ ହେଉଥିବା କୁହାଯାଉଛି।
କିନ୍ତୁ, କୌଣସି ଟିକା ଭାରତରେ ବ୍ୟବହାର ପାଇଁ ଅନୁମୋଦନ ପାଇବା ପୂର୍ବରୁ ନୈଦାନିକ ପରୀକ୍ଷଣ ଶେଷ କରାଯିବା ଆବଶ୍ୟକ ବୋଲି ପୂର୍ବରୁ କୁହାଯାଇଥିଲା। ଭାରତରେ ପରୀକ୍ଷଣ ଲାଗି ଫାଇଜର୍ କିଂବା ତା’ର ଅଂଶୀଦାର ଆବେଦନ କରି ନ ଥିଲେ।
ସୂଚନାଯୋଗ୍ୟ କି, କୌଣସି ଟିକାର ସ୍ଥାନୀୟ ପରୀକ୍ଷଣ ଛାଡ଼ କରିବା ନିମନ୍ତେ ‘ଡିସିଜିଆଇ’ର କ୍ଷମତା ରହିଛି।
The post କୋଭିଡ୍-୧୯ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଭାରତର ଅନୁମୋଦନ ଲୋଡ଼ିଲା ଫାଇଜର୍ first appeared on Sambad.
from କରୋନା – Sambad https://ift.tt/3lQGWCe
0 Comments