କଟକ: ହାଡ଼ଭଙ୍ଗା‌ ଶୀତ। ତାରି ଭିତରେ ପୁଣି କଡ଼ ଲେଉଟାଇବ କି କରୋନା? ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଆତଙ୍କ। ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ଆତଙ୍କ ଖେଳିଯାଇଛି। ତେବେ, ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁନେସ୍ଥିତ ଭାଇରାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍‌କୁ ପଠାଯାଇଛି। କେରୋନାର କେଉଁପ୍ରକାର ଭୂତାଣୁ ଉକ୍ତ ବ୍ରିଟେନ୍‌ ଫେରନ୍ତା ଆକ୍ରାନ୍ତଙ୍କଠାରେ ଦେଖାଯାଇଛି, ଏହା ମାରାତ୍ମକ କି ନା, ପରୀକ୍ଷା ପରେ ସେ ସଂପର୍କରେ ଜଣାପଡିବ। ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଭୂତାଣୁର ଷ୍ଟ୍ରେନ୍‌ କେଉଁଠୁ ଆସିଛି, ତା ’ ଉପରେ ମଧ୍ୟ ଅଧିକ ଗବେଷଣା ଆରମ୍ଭ ହୋଇଛି ବୋଲି କହିଛନ୍ତି ଏସ୍‌ସିବି ମେଡିସିନ୍‌ ବିଭାଗ ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା। ହେଲେ, ଏହାକୁ ନେଇ ଡରିବାର କିଛି କାରଣ ନାହିଁ। ଏଥିପାଇଁ କେବଳ ସତର୍କତା ଜରୁରୀ ବୋଲି ସେ କହିଛନ୍ତି।

ପ୍ରଫେସର ଶ୍ରୀ ପଣ୍ଡାଙ୍କ କହିବା ଅନୁସାରେ, ପ୍ରତ୍ୟେକ ଭୂତାଣୁ ରୂପ ବଦଳାଇଥାଏ। ତା ଜିନ୍‌ରେ ସବୁବେଳେ ପରିବର୍ତ୍ତନ ହୋଇଥାଏ। ଯାହାକୁ ମ୍ୟୁଟାଣ୍ଟ ‌ଷ୍ଟ୍ରେନ୍‌ ବୋଲି କୁହାଯାଇଥାଏ। କେତେବେଳେ ଏହା ଅଧିକ ଶକ୍ତିଶାଳୀ ତ ପୁଣି କେ‌ତେବେଳେ ଏହା କମ୍‌ ଶକ୍ତିଶାଳୀ ମଧ୍ୟ ହୋଇପାରେ। ସେଥିରେ ଭୟଭୀତ ହେବାର କିଛି ନାହିଁ କି ଏଥିରେ କିଛି ନୂଆ ମଧ୍ୟ ନାହିଁ। କରୋନାର ୨ୟ ଲହରକୁ ନେଇ ଭୟଭୀତ ହେବାନି ବରଂ ସତର୍କ ରହିବା ଜରୁରୀ। ରାଜ୍ୟରେ ‌କରୋନା ଆକ୍ରାନ୍ତଙ୍କ ତାଲିକାରେ ୪ର୍ଥ ସ୍ଥାନରେ ରହିଛି ସୁନ୍ଦରଗଡ଼। ଏହି ଜିଲ୍ଲାରେ ୧୪, ୫୧୭ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସ୍ବାସ୍ଥ୍ୟବିଭାଗ ତଥ୍ୟ ଅନୁସାରେ ୧୬୪ ରହିଛି। ରାଜ୍ୟରେ ଖୋର୍ଦ୍ଧା ସବୁଠାରୁ ଆଗରେ। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨, ୫୮୭ ଥିବାବେଳେ ୨ୟରେ ରହିଛି କଟକ, ଯେଉଁଠି ଆକ୍ରାନ୍ତଙ୍କ ସଂଖ୍ୟା ୨୮,୬୫୫ ଓ ୩ୟ ସ୍ଥାନରେ ରହିଛି ଗଞ୍ଜାମ। ଯାହାର ଆକ୍ରାନ୍ତଙ୍କ ସଂଖ୍ୟା ୨୧,୭୯୨ ରହିଥିବା ଜଣାପଡିଛି। ଅନ୍ୟପଟେ ବର୍ତ୍ତମାନ ସମୟରେ କଟକରେ ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ସେଭଳି ବଢିନି ତଥାପି ଆଠଗଡ଼, କଣ୍ଟାପଡ଼ା ଓ ନରସିଂହପୁରରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ ପ୍ରଶାସନ ପକ୍ଷରୁ ଅଧିକ ସତର୍କତା‌ ଅବଲମ୍ବନ କରାଯାଉଛି। କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟକୁ ଅଧିକ ବଢ଼ାଯାଇଥିବା ଜିଲ୍ଲା କୋଭିଡ୍‌ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି।

The post ରୂପ ବଦଳାନ୍ତି ଭୂତାଣୁ, ଭୟ ନକରି କେବଳ ସତର୍କ ରୁହନ୍ତୁ first appeared on Sambad.



from କରୋନା – Sambad https://ift.tt/3rwsXWj