
ନୂଆଦିଲ୍ଲୀ: ପ୍ରଥମେ ଇଂଲଣ୍ଡରେ ଚିହ୍ନଟ ହୋଇଥିବା ଗୁଣସୂତ୍ର ପରିବର୍ତ୍ତିତ କରୋନାଭାଇରସ୍ (ନୂଆ ଷ୍ଟ୍ରେନ୍) ଏବେ ଭାରତରେ ଚିହ୍ନଟ ହୋଇଛି। ଏଥିରେ ୬ଜଣ ଆକ୍ରାନ୍ତ ହୋଇଥିବା କଥା ନମୁନା ପରୀକ୍ଷାରୁ ଜଣାପଡ଼ିଛି।
ଆକ୍ରାନ୍ତମାନଙ୍କ ମଧ୍ୟରୁ ତିନିଜଣ ବେଙ୍ଗାଲୁରୁର ‘ଏନ୍ଆଇଏମ୍ଏଚ୍ଏଏନ୍ଏସ୍’ରେ ଥିବା ବେଳେ ଦୁଇଜଣ ହାଇଦ୍ରାବାଦସ୍ଥିତ ‘ସେଣ୍ଟର୍ ଫର୍ ମଲିକ୍ୟୁଲାର୍ ବାୟୋଲୋଜି ଏବଂ ଅନ୍ୟ ଜଣେ ପୁଣେସ୍ଥିତ ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ରେ ଅଛନ୍ତି।
ଏହି ସମସ୍ତ ଆକ୍ରାନ୍ତଙ୍କୁ ରାଜ୍ୟ ସରକାରଙ୍କ ସ୍ୱୀକୃତ ସ୍ୱାସ୍ଥ୍ୟ ସେବା କେନ୍ଦ୍ରମାନଙ୍କର ‘ସିଙ୍ଗଲ୍ ରୁମ୍ ଆଇସୋଲେସନ୍’ରେ ରଖାଯାଇଛି। ସେମାନଙ୍କ ନିବିଡ଼ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ‘କ୍ୱାରେଣ୍ଟିନ୍’ରେ ରଖାଯାଇଛି। ଚିହ୍ନଟ ଆକ୍ରାନ୍ତମାନଙ୍କ ସହଯାତ୍ରୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପରିବାରବର୍ଗ ଓ ଅନ୍ୟମାନଙ୍କୁ ଚିହ୍ନଟ କରିବା ଲାଗି ବ୍ୟାପକ କଣ୍ଟାକ୍ଟ୍ ଟ୍ରେସିଙ୍ଗ୍ ଅଭିଯାନ ଆରମ୍ଭ ହୋଇଛି।
ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ଇଂଲଣ୍ଡ୍ରୁ ପ୍ରାୟ ୩୩, ୦୦୦ ଯାତ୍ରୀ ଭାରତରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ ୧୧୪ଜଣ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଆକ୍ରାନ୍ତଙ୍କ ଠାରେ ଚିହ୍ନଟ ଭୂତାଣୁର ଗୁଣସୂତ୍ର ଧାରା ଏବଂ ଅନ୍ୟ ବୈଶିଷ୍ଟ୍ୟ ଅନୁଶୀଳନ ଚାଲିଥିବା କଥା ସରକାର କହିଛନ୍ତି।
ଇଂଲଣ୍ଡ୍ରୁ ଚିହ୍ନଟ ଗୁଣସୂତ୍ର ପରିବର୍ତ୍ତିତ କରୋନାଭାଇରସ୍ ଏପର୍ଯ୍ୟନ୍ତ ଡେନ୍ମାର୍କ, ନେଦରଲ୍ୟାଣ୍ଡ୍ସ୍, ଅଷ୍ଟ୍ରେଲିଆ, ଇଟାଲି, ସ୍ୱିଡେନ୍, ଫ୍ରାନ୍ସ, ସ୍ପେନ୍, ସ୍ୱିଜର୍ଲାଣ୍ଡ୍, ଜର୍ମାନି, କାନାଡା, ଜାପାନ, ଲେବାନନ୍ ଏବଂ ସିଙ୍ଗାପୁରକୁ ବ୍ୟାପି ସାରିଛି।
ଇଂଲଣ୍ଡ୍ରେ ଏହି ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ଡିସେମ୍ବର ୨୧ ତାରିଖରୁ ଭାରତ ଇଂଲଣ୍ଡ୍ରୁ ଆସୁଥିବା ବିମାନ ଉପରେ ନିଷେଧାଜ୍ଞା ଜାରି କରିଛି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ।
The post ଭାରତରେ ୬ଟି ନୂଆ ଷ୍ଟ୍ରେନ୍ର କୋଭିଡ୍-୧୯ ସଂକ୍ରମଣ ମାମଲା ଚିହ୍ନଟ first appeared on Sambad.
from କରୋନା – Sambad https://ift.tt/3mXSgwQ
0 Comments