ନୂଆଦିଲ୍ଳୀ : ଦେଶରେ ନୂଆ ପ୍ରଜାତିର କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ୫ଟି ନୂଆ ମାମଲା ମଧ୍ୟରୁ ୪ଟି ଏନ୍‌ଆଇଭି ପୁନେରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଏକ ମାମଲା ଆ‌ଇଜିଆଇବି, ଦିଲ୍ଲୀରେ ଚିହ୍ନଟ ହୋଇଛି। ନୂଆ ଭୂତାଣୁ ସଂକ୍ରମିତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ରେ ସ୍ବତନ୍ତ୍ର ଆଇସୋଲେସନ୍‌ରେ ରଖାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କ ସହଯାତ୍ରୀ ଏବଂ ପରିବାର ସଦସ୍ୟଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଉଛି ଏବଂ ରାଜ୍ୟମାନଙ୍କୁ ନିୟମିତ ପରାମର୍ଶ ଦିଆଯାଉଛି।

ଭାରତ ସମେତ ଡେନମାର୍କ, ନେଦରଲାଣ୍ଡ୍‌, ଅଷ୍ଟ୍ରେଲିଆ, ଇଟାଲି, ସ୍ବିଡେନ୍‌, ଫ୍ରା‌ନ୍ସ, ସ୍ପେନ୍‌, ସ୍ବିଜରଲାଣ୍ଡ୍‌, ଜର୍ମାନୀ, କାନାଡ଼ା, ଜାପାନ୍‌, ଲେବାନନ୍‌ ଏବଂ ସିଙ୍ଗାପୁର୍‌ରେ ନୂଆ ପ୍ରଜାତିର କରୋନା ଭୂତାଣୁ ଏବେ କାୟା ବିସ୍ତାର କରୁଛି। ଅନ୍ୟପକ୍ଷେ ଦେଶରେ କରୋନା ସଂକ୍ରମଣ ମାମଲା ୧,୦୨,୬୬,୬୭୪କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୧,୮୨୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୯୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୧,୪୮,୭୩୮ ପହଞ୍ଚିଥିବା ବେଳେ ଆରୋଗ୍ୟ ହାର ୯୬.୦୪ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଲଗାତାର ୧୦ ଦିନ ଧରି ଦେଶରେ ସକ୍ରିୟ ମାମଲା ୩ ଲକ୍ଷରୁ କମ୍‌ ରହିଛି। ଦେଶରେ ଏବେ ୨,୫୭,୬୫୬ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ମାତ୍ର ୨.୫୧ ପ୍ରତିଶତ। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ଏବେ ମୋଟ୍‌ ୧୭,୨୦,୪୯,୨୭୪ ନମୁନା ପରୀକ୍ଷା ହୋଇଛି।

The post ଭାରତରେ ନୂଆ ଭୂତାଣୁର କାୟା ବିସ୍ତାର : ସଂକ୍ରମିତଙ୍କ ସଂଖ୍ୟା ୨୫କୁ ବୃଦ୍ଧି first appeared on Sambad.



from କରୋନା – Sambad https://ift.tt/3pCedn2