
ଭୁବନେଶ୍ବର: ବ୍ରିଟେନ୍ରୁ ଫେରିଥିବା ଆଉ ୧୬ଜଣଙ୍କ କୋଭିଡ୍ ନମୁନା ସଂଗ୍ରହ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୨୦ଜଣଙ୍କ ନମୁନା ସଂଗ୍ରହ କରାଯାଇ ସାରିଲାଣି। ତେବେ ବ୍ରିଟେନ୍ରୁ ଫେରିଥିବା ଆଉ ୫ଜଣଙ୍କ ନମୁନା ସଂଗ୍ରହ ଏବେ ବି ବାକି ରହିଛି। ଖୁବ୍ଶୀଘ୍ର ଅନ୍ୟମାନଙ୍କ ମଧ୍ୟ ନମୁନା ସଂଗ୍ରହ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ବ୍ରିଟେନ୍ରେ କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍(ବି.୧.୧.୭) ଦ୍ରୁତ ଗତିରେ ବ୍ୟାପୁଥିବା ଜଣାପଡ଼ିବା ପରେ ସାରା ବିଶ୍ବରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି। ଏହି ସମୟ ଭିତରେ ଓଡ଼ିଶାକୁ ଫେରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା, ସେମାନଙ୍କ ନମୁନା ସଂଗ୍ରହ କରିବା ଲାଗି ଗତ ୨୪ ତାରିଖରେ ସ୍ବାସ୍ଥ୍ୟ ବିଭାଗ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର୍ଙ୍କୁ ନିର୍ଦେଶ ଦେଇଥିଲେ। ମାତ୍ର କିଛି ଫେରନ୍ତାଙ୍କ ଭୁଲ୍ ଠିକଣା ଓ ଫୋନ୍ ନମ୍ବର ପାଇଁ ସେମାନଙ୍କୁ ଚିହ୍ନଟ କରିବାରେ ସମସ୍ୟା ଦେଖା ଦେଇଥିଲା। ତେଣୁ ଧୀରେ ଧୀରେ ବ୍ରିଟେନ୍ ଫେରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଗତ ୧ ମାସ ଭିତରେ ଓଡ଼ିଶାକୁ ସମୁଦାୟ ୧୮୧ଜଣ ଫେରିଥିବା ବେଳେ ଏ ପର୍ଯ୍ୟନ୍ତ ୧୭୬ଜଣଙ୍କୁ ଚିହ୍ନଟ କରି ସେମାନଙ୍କ ନମୁନା ସଂଗ୍ରହ କରାଯାଇଛି। ଏହାସହ ସେମାନଙ୍କ ସଂପର୍କରେ ଆସିଥିବା ୪୪ ଜଣଙ୍କ ନମୁନା ସଂଗ୍ରହ ହୋଇଛି। ତହିଁରୁ ସମୁଦାୟ ୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ନମୁନାର ଜିନ୍ ଅନୁଶୀଳନ ପାଇଁ ପୁନେସ୍ଥିତ ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ୍କୁ ପଠାଯାଇଛି।
ଖୋର୍ଧା ଜିଲ୍ଲା ଓ ବିଏମ୍ସିକୁ ମିଶାଇ ସମୁଦାୟ ୮୫ଜଣ ବ୍ରିଟେନ୍ରୁ ଫେରିଛନ୍ତି। ତହିଁରୁ ୮୨ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୭୮ଜଣଙ୍କ ନମୁନା ସଂଗ୍ରହ କରାଯାଇଛି। ଫେରନ୍ତାଙ୍କ ମଧ୍ୟରୁ ୨ଜଣ ଦିଲ୍ଲୀ ଓ ଜଣେ ଚଣ୍ଡୀଗଡ଼ରେ ଥିବା ବିଏମ୍ସି ପକ୍ଷରୁ କୁହାଯାଇଛି। ଏହାସହ ସମ୍ବେଦନଶୀଳ ଗ୍ରୁପ୍ରୁ ୭ଜଣଙ୍କୁ ମିଶାଇ ସମୁଦାୟ ୮୫ ନମୁନା ସଂଗ୍ରହ ହୋଇଛନ୍ତି। ଏଥିରେ ୩ଜଣ ଫେରନ୍ତା ପଜିଟିଭ୍ ଥିବା ବେଳେ ଜଣେ ସଂପର୍କୀୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭ ଜଣଙ୍କ ରିପୋର୍ଟ ଆସି ନଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
The post ଆଉ ୧୬ ବ୍ରିଟେନ୍ ଫେରନ୍ତାଙ୍କ ନମୁନା ସଂଗ୍ରହ first appeared on Sambad.
from କରୋନା – Sambad https://ift.tt/38OaxYB
0 Comments