ଭୁବନେଶ୍ବର: କୋଭିଡ ଟିକାକରଣ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଲୋକସେବା ଭବନରେ ଆଜି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ଟିକାକରଣ ପାଇଁ ଗଠିତ ରାଜ୍ୟ ଷ୍ଟିଅରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଟିକାକରଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀମାନଙ୍କୁ ଠିକ୍ ଭାବେ ତାଲିମ୍ ଓ ଆବଶ୍ୟକ ହେଲେ ବିଭିନ୍ନ ବ୍ଲକ୍‌ଗୁଡ଼ିକୁ ଯାଇ ସମୟୋଚିତ ଭାବେ ଟିକାକରଣ ପ୍ରସ୍ତୁତିକୁ ଅନୁଧ୍ୟାନ କରିବାକୁ କୁହାଯାଇଛି।

ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ ଟିକାକରଣ ପରେ ଯେକୌଣସି ପାର୍ଶ୍ବ ପ୍ରତିକ୍ରିୟାକୁ ଦକ୍ଷତାର ସହ କିପରି ମୁକାବିଲା କରାଯାଇ ପାରିବ, ତାହା ଉପରେ ଆଲୋଚନା କରିଥିଲେ। କୋଭିଡ ଟିକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କୋଭିଡ୍‌ ଯୋଦ୍ଧା ତଥା ୫୦ ବର୍ଷରୁ ଅଧିକ ବ୍ୟକ୍ତି ଓ ୫୦ ବର୍ଷରୁ କମ୍ ଅଣସଂକ୍ରାମକ ରୋଗୀଙ୍କୁ ଚିହ୍ନଟ ଓ ଟିକାକରଣ ସମ୍ବନ୍ଧୀୟ ସ୍ଥାନ ନିରୂପଣ, ମାର୍ଗଦର୍ଶିକା ସଂପର୍କରେ ଆଲୋକପାତ କରିଥିଲେ। ଓସ୍ବାନ୍ ପ୍ଲାଟଫର୍ମ ଜରିଆରେ ଅନୁଷ୍ଠିତ ବୈଠକରେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ, ସମସ୍ତ ନିର୍ଦେଶକ, ସବୁ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

The post ଟିକାକରଣ ପାଇଁ ବ୍ୟାପକ ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦେଶ first appeared on Sambad.



from କରୋନା – Sambad https://ift.tt/3paOUbo