ଆଇଏଲ୍‌ଓର ତଥ୍ୟ ଅନୁଯାୟୀ କରୋନା ମହାମାରୀ ଯୋଗୁଁ ପାଖାପାଖି ୪.୧ ନିୟୁତ ଭାରତୀୟ ସେମାନଙ୍କ ଚାକିରି ହରାଇଛନ୍ତି। ଏହି ଆର୍ଥିକ କ୍ଷତି ପରିବାରର ବିଶେଷ କରି ସ୍ବଳ୍ପ ଆୟବର୍ଗ ଲୋକଙ୍କର ସ୍ବାସ୍ଥ୍ୟ ଓ ପୋଷଣ ଉପରେ କୁପ୍ରଭାବ ପକାଉଛି। ଏମିତି କ୍ଷେତ୍ରରେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଅନେକ ଲୋକ ପୁଷ୍ଟିହୀନ ଖାଦ୍ୟ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏହା ଦ୍ବାରା ୫ ବର୍ଷରୁ କମ୍‌ ଶିଶୁମାନେ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ଆମ ଦେଶରେ ପୁଷ୍ଟିହୀନତା କାରଣରୁ ୫ ବର୍ଷ ବୟସରୁ କମ୍‌ ପିଲାମାନଙ୍କର ମୃତ୍ୟୁହାର ୪୫ ପ୍ରତିଶତ ରହିଛି। ଏହି ପୁଷ୍ଟିହୀନ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ହୋଇଥିବାରୁ ଏମାନେ ଡାଇରିଆ, ନିମୋନିଆ, ମିଳିମିଳା ଓ ମ୍ୟାଲେରିଆ ଇତ୍ୟାଦି ରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଧିକ। ଏବଂ ଏହି ଶିଶୁମାନଙ୍କୁ ଯଦି ଏହି ମହାମାରୀ ସମୟରେ କୋଭିଡ-୧୯ ବା ଅନ୍ୟ କୌଣସି ରୋଗ ଆକ୍ରାନ୍ତ କରେ ସେମାନଙ୍କର ମୃତ୍ୟୁହାର ଅଧିକ ହୋଇଥାଏ।

ବହୁ ସମୟରେ ଦେଖାଯାଉଛି ଯେ ଏହି ପୁଷ୍ଟିହୀନ ପିଲାମାନଙ୍କର ଚିକିତ୍ସା ପାଇଁ ହେଉଥିବା ପୁଷ୍ଟି ପୁନର୍ବାସ କେନ୍ଦ୍ରକୁ ଏହି ମହାମାରୀ ସମୟରେ ସେମାନେ ଆସିବା ପାଇଁ ଅମଙ୍ଗ ହେଉଛନ୍ତି। ଯଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେଉଛି। ଆମ ଦେଶର ଅର୍ଥନୈତିକ ଦୃଷ୍ଟିକୋଣରୁ ଦେଖିଲେ ପୃଷ୍ଟିହୀନତାରୁ ଏହି ପିଲାମାନଙ୍କୁ ରକ୍ଷା କରିବା ପାଇଁ ଆମକୁ ଶିଶୁମାନଙ୍କୁ ଦେଉଥିବା ଖାଦ୍ୟ ଯେପରି ପୁଷ୍ଟିକର ହେବ ଏବଂ ଏହା ଆମେ ଘରେ କମ୍‌ ଖର୍ଚ୍ଚରେ ତିଆରି କରିପାରିବା ସେଥିପାଇଁ ଧ୍ୟାନ ଦେବା ଜରୁରୀ। ଶିଶୁମାନଙ୍କୁ ବୟସାନୁଯାୟୀ ଖିଚିଡ଼ି, ଭାତ, ଡାଲି, କ୍ଷୀର, ଅଣ୍ଡା ଓ ବିଭିନ୍ନ ପନିପରିବା ଦେବା ଆବଶ୍ୟକ। ବାହାରର ଫାଷ୍ଟଫୁଡ, ଡବା କ୍ଷୀର ଇତ୍ୟାଦି ଉପରେ ଟଙ୍କା ଖର୍ଚ୍ଚ ନକରି ଘରର ପୁଷ୍ଟିକର ଖାଦ୍ୟ ଦେବା ଜରୁରୀ।

ଅଙ୍ଗନବାଡ଼ି ଓ ବିଦ୍ୟାଳୟ ବନ୍ଦ ରହିବା ଦ୍ବାରା ଯେଉଁ ପିଲା ମଧ୍ୟାହ୍ନଭୋଜନ ଉପରେ ନିର୍ଭର କରୁଥିଲେ, ସେମାନଙ୍କୁ ସରକାରଙ୍କ ତରଫରୁ ତା’ ବଦଳରେ ଯୋଗାଇ ଦିଆଯାଉଥିବା ଖାଦ୍ୟକୁ ଠିକ୍‌ ପରିମାଣରେ ମିଳିବା ଆବଶ୍ୟକ। କୌଣସି ପିଲା ରୋଗରେ ପୀଡ଼ିତ ହେଲେ, ତା ପରେ ତାର ଶରୀରକୁ ପୂର୍ବାବସ୍ଥାକୁ ଫେରିବା ପାଇଁ ଅଧିକ ଖାଦ୍ୟ ଦରକାର ହୋଇଥାଏ। ପିଲାମାନଙ୍କ କ୍ଷେତ୍ରରେ ମେଦବହୁଳତା ମଧ୍ୟ ଅପପୁଷ୍ଟିର ଏକ ଅଂଶ। ଏହି ମହାମାରୀ ସମୟରେ ପିଲାମାନେ ବିଦ୍ୟାଳୟ ଯାଉନାହାନ୍ତି। ଖେଳପଡ଼ିଆ କିମ୍ବା ପାର୍କ ମଧ୍ୟ ଯାଉନାହାନ୍ତି। ତା ସହିତ ସେମାନେ ଘର ମଧ୍ୟରେ ଆବଦ୍ଧ ରହିବା ଦ୍ବାରା ବେଶୀ ସମୟ ଟିଭି ଏବଂ ମୋବାଇଲରେ ବିତାଉଛନ୍ତି। ଏହି ସବୁ କାରଣ ପାଇଁ ବହୁ କ୍ଷେତ୍ରରେ ଶିଶୁମାନେ ମେଦବହୁଳତାର ଶିକାର ହେଉଛନ୍ତି। ଫଳରେ ଏହି ମେଦବହୁଳ ଶିଶୁମାନେ ବିଭିନ୍ନ ରୋଗରେ ପୀଡ଼ିତ ହୋଇଥାନ୍ତି। ଏହି ପିଲାମାନଙ୍କୁ ଭବିଷ୍ୟତରେ ଡାଇବେଟିସ, ଉଚ୍ଚରକ୍ତଚାପ, ଆଜ୍‌ମା ଓ ବିଭିନ୍ନ ମନସ୍ତାତ୍ତ୍ବିକ ରୋଗ ଯେମିତିକି ଆଙ୍ଗଜାଇଟି, ଡିପ୍ରେସନ ଇତ୍ୟାଦି ହେବାର ସମ୍ଭାବନା ଅଧିକ। ସେଥିପାଇଁ ପିଲାମାନଙ୍କୁ ବେଶୀ ସମୟ ଟିଭି, ମୋବାଇଲ ଦେଖିବାକୁ ଦିଅନ୍ତୁ ନାହିଁ। ଘରେ ସେମାନଙ୍କୁ ବ୍ୟାୟାମ, ଯୋଗ କରିବାକୁ ଉତ୍ସାହିତ କରନ୍ତୁ। ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଦୈନନ୍ଦିନ ନିତ୍ୟକର୍ମର ସାରଣୀ ପ୍ରସ୍ତୁତ କରନ୍ତୁ ଓ ପାଠପଢ଼ା ସହ କେମିତି ନିଜ ସ୍ବାସ୍ଥ୍ୟର ଯତ୍ନ ନେବେ, ଖାଦ୍ୟ ଖାଇବାର ଶୈଳୀ ଓ ସମୟ ମଧ୍ୟ ଠିକ୍‌ ରଖନ୍ତୁ।

The post କରୋନା ଓ ଅପପୁଷ୍ଟି first appeared on Sambad.



from କରୋନା – Sambad https://ift.tt/34EJn5f