ନୂଆଦିଲ୍ଲୀ : ଆମେରିକୀୟ ଭେଷଜ କମ୍ପାନି ଫାଇଜର ଓ ଜର୍ମାନୀ ଅଂଶୀଦାର ବାୟୋଏନ୍‌ଟେକ୍‌ ଦ୍ବାରା ବିକଶିତ କୋଭିଡ୍‌ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ୯୦%ରୁ ଅଧିକ ଫଳପ୍ରଦତା ଦେଉଥିବା ଦାବି ହେଲା ପରେ ଖୁବ୍‌ ଶୀଘ୍ର ଏହା ଉପଲବ୍‌ଧ ହୋଇପାରିବ ବୋଲି ଆଶା କରାଯାଉଛି। ତେବେ ଉକ୍ତ ଟିକାକୁ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଯେ ଘାତକ କରୋନାଭୂତାଣୁ ସାର୍ସ-କୋଭ୍‌-୨କୁ ଅନ୍ୟ ଶରୀରକୁ ସଂକ୍ରମିତ କରିବାକୁ ସକ୍ଷମ ନା ନୁହେଁ ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ଆହୁରି ପରୀକ୍ଷା ନିରୀକ୍ଷା ଚଳାଇବା ପାଇଁ ଫାଇଜର ଯୋଜନା କରୁଛି ବୋଲି କମ୍ପାନିର ଅଧ୍ୟକ୍ଷ ଆଲବର୍ଟ ବୋର୍ଲା ସୂଚନା ଦେଇଛନ୍ତି।

ଯଦିଓ ପ୍ରାୟ ୯୫ ପ୍ରତିଶତ ଫଳପ୍ରଦତାକୁ ଭିତ୍ତି କରି ୟୁକେ ଓ ବାହାରିନ୍‌ ପରି ଦେଶରେ ଉକ୍ତ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସ୍ବୀକୃତି ମିଳିସାରିଛି, ତେବେ ଏପରି ଭିନ୍ନ ଫଳପ୍ରଦତା ଦିଗରେ କେହି ମୁଣ୍ଡ ଖେଳାଇନାହାନ୍ତି। ତେବେ ଟିକାଗ୍ରହୀତାମାନେ ଯେ ଅନ୍ୟମାନଙ୍କୁ ସଂକ୍ରମଣ କରିବାର ଆଶଙ୍କା ରହିଛି ବୋଲି କିଛି ବିଶେଷଜ୍ଞ ମଧ୍ୟ ଏ ଅବସରରେ ପ୍ରଶ୍ନ ଉଠାଇବା ପରେ ତାହା ଗୁରୁତ୍ବ ବହନ କରୁଛି। ଟିକାର ବିକାଶ ବେଳେ ସଂପୃକ୍ତ କମ୍ପାନି କିପରି ଏହା କରୋନାଭୂତାଣୁ ସଂକ୍ରମଣକୁ ପ୍ରଭାବିତ କରୁଛି ତାହା ପରୀକ୍ଷା ନ କରି ଏତେ ବାଟ ଆଗେଇଯାଇଛନ୍ତି ବୋଲି କିଛି ବିଶେଷଜ୍ଞ ପ୍ରଶ୍ନବାଚୀ ଲଗାଇଛନ୍ତି। ଅପରପକ୍ଷେ, ଉକ୍ତ ଟିକାକୁ ଅଦ୍ୟାବଧି ଆମେରିକାରେ ସବୁଜ ସଂକେତ ମିଳିନଥିବା ବେଳେ ଆସନ୍ତା ୧୦ ତାରିଖରେ ଟିକାର ଯାବତୀୟ ଫଳପ୍ରଦତାର ବିଭିନ୍ନ ଦିଗ ଉପରେ ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ(ଏଫ୍‌ଡିଏ) ପକ୍ଷରୁ ପୁଙ୍ଖାନୁପୁଙ୍ଖ ତର୍ଜ୍ଜନା କରାଯିବାର ରହିଛି।

ଦ୍ବିତୀୟ ରାଷ୍ଟ୍ରଭାବେ ଫାଇଜର୍‌ ଟିକାର ଜରୁରୀ ବ୍ୟବହାରକୁ ସ୍ବୀକୃତି ଦେଲା ବହରିନ୍‌
ଇଂଲଣ୍ଡ୍ : ବ୍ରିଟେନ୍‌ ପରେ ବହରିନ୍‌ ବିଶ୍ବର ଦ୍ବିତୀୟ ରାଷ୍ଟ୍ର ଭାବେ ଫାଇଜର୍‌ କୋଭିଡ୍‌ ଟିକାର ଏମର୍ଜେନ୍ସି ବ୍ୟବହାରକୁ ସ୍ବୀକୃତି ପ୍ରଦାନ କରିଛି। ଉଲ୍ଲେଖ‌ଯୋଗ୍ୟ, ଗତ ବୁଧବାର ଦିନ ବ୍ରିଟେନ୍‌ ପ୍ରଥମ ରାଷ୍ଟ୍ର ଭାବେ ଫାଇଜର୍‌ ଟିକାର ଏମର୍ଜେନ୍ସି ବ୍ୟବହାରକୁ ସ୍ବିକୃତୀ ଦେଇଥିଲା। ‌ତେବେ କେବେଠାରୁ ଟିକାକରଣ ଆରମ୍ଭ ହେବ ସେନେଇ ବହରିନ୍‌ ସରକାରଙ୍କ ପକ୍ଷରୁ ‌‌କିଛି ସ୍ପଷ୍ଟ କରାଯାଇନାହିଁ।

The post ଟିକାର ଭିନ୍ନ ଫଳପ୍ରଦତା ପରୀକ୍ଷା କରିବ ଫାଇଜର first appeared on Sambad.



from କରୋନା – Sambad https://ift.tt/36JB6hG