ଭୁବନେଶ୍ୱର : କରୋନା ଟିକା ଆସିବା ପୂର୍ବରୁ ରାଜ୍ୟ ସରକାର ଆଜି ଟିକାକରଣକୁ ସୁଗମ କରିବା ପାଇଁ ଦୁଇଟି କମିଟି ଗଠନ କରିଛନ୍ତି। ପରିବାର କଲ୍ୟାଣ ନିର୍ଦେଶକ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ଥିବା ବେଳେ ସିଡିଏମ୍‌ଓଙ୍କୁ ଜିଲ୍ଲାସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏହି ଦୁଇ କମିଟିର ରାଜ୍ୟରେ ଟିକାକରଣର ପାର୍ଶ୍ବ ପ୍ରତିକ୍ରିୟା ଓ ନିରୀକ୍ଷଣ ସହିତ ୯ଟି ଦିଗ ଉପରେ ନଜର ରଖିବା ଲାଗି କୁହାଯାଇଛି। ଏ ନେଇ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କରୋନା ପାଇଁ ଟିକା ପ୍ରସ୍ତୁତି ଜୋରଦାର ହୋଇଛି। ଏକାଧିକ କମ୍ପାନିର ଟିକାର ଏବେ ପ୍ରସ୍ତୁତି ଜାରି ରହିଛି। ତେଣୁ ଖୁବଶୀଘ୍ର ଟିକା ବଣ୍ଟନ କରାଯିବା ନେଇ ଆଶା ସଞ୍ଚାର ‌ହୋଇଛି। ଏଭଳି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ୨୧ ଜଣିଆ ରାଜ୍ୟସ୍ତରୀୟ ଟିମ୍ ଗଠନ କରାଯାଇଛି। ପରିବାର କଲ୍ୟାଣ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ରାଜ୍ୟ ଟିକାକରଣ ଅଧିକାରୀ ସଦସ୍ୟ ସଚିବ ଓ ଅନ୍ୟମାନେ ସଦସ୍ୟ ରହିଛନ୍ତି। ଏହି ସଦସ୍ୟମାନେ କ୍ଷେତ୍ର ପରିଦର୍ଶନ କରିବା ସହିତ ଟିକାକରଣ ସ୍ଥାନ ଓ କୋଲ୍‌ଡ ଚେନ୍ ଷ୍ଟୋର ପରିଦର୍ଶନ କରିବା ଲାଗି କୁହାଯାଇଛି। ସେହିପରି ସିଡିଏମ୍‌ଓଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ କମିଟିରେ ଏପିଏଚ୍‌ଓ ସଦସ୍ୟ ସଚିବ ରହିଥିବା ବେଳେ ସମୁଦାୟ ୧୪ଜଣ ସଦସ୍ୟ ରହିଛନ୍ତି। ଟିକାକରଣ ବାଦ୍ ଯଦି କୌଣସି ଅଘଟଣ ଘଟେ ତାହାଲେ ସଂପୃକ୍ତ ବ୍ୟକ୍ତି ହସ୍ପିଟାଲ ରେକର୍ଡ, ରିପୋର୍ଟ ଯାଞ୍ଚ କରିବା ଲାଗି କୁହାଯାଇଛି।

The post ଟିକା ପାଇଁ ଦୁଇ କମିଟି ଗଠନ କଲେ ରାଜ୍ୟ ସରକାର first appeared on Sambad.



from କରୋନା – Sambad https://ift.tt/3mHqgyl