ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଗମନାଗମନ ଉପରେ କଟକଣା ଜାରି ସତ୍ତ୍ୱେ ପ୍ରଥମେ ଇଂଲଣ୍ଡ୍‌ରୁ ଚିହ୍ନଟ ହୋଇଥିବା ପରିବର୍ତ୍ତିତ ପ୍ରଜାତିର କରୋନାଭାଇରସ୍‌ କେତେକ ୟୁରୋପୀୟ ଦେଶ ସମେତ କାନାଡା, ଅଷ୍ଟ୍ରେଲିଆ, ଲେବାନନ୍‌ ଏବଂ ଅନ୍ୟାନ୍ୟ ରାଷ୍ଟ୍ରରେ ବ୍ୟାପିଚାଲିଛି।
ଦ୍ରୁତ ସଂକ୍ରମିତ ଏହି ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ଫ୍ରାନ୍‌ସ୍‌, ଡେନ୍‌ମାର୍କ, ସ୍ପେନ୍‌, ସ୍ୱିଡେନ୍‌, ନେଦର୍‌ଲାଣ୍ଡ୍‌ସ୍‌, ଜର୍ମାନି ଏବଂ ଇଟାଲିରେ ମଧ୍ୟ ବ୍ୟାପୁଛି।

କାନାଡା ଅନ୍ତର୍ଗତ ଓଣ୍ଟାରିଓର ଚିଫ୍‌ ମେଡିକାଲ୍‌ ଅଫିସର୍‌ ଶନିବାର ଦିନ କହିଛନ୍ତି ଯେ, ସେମାନେ ଦୁଇଟି ସଂକ୍ରମଣ ଚିହ୍ନଟ କରିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଦମ୍ପତିଙ୍କର କୌଣସି ଗସ୍ତ ଇତିହାସ ନାହିଁ। ଏହା ଗୋଷ୍ଠୀ ସଂକ୍ରମଣ ବୋଲି ମନେହେଉଛି।

Image Courtesy of The Washington Post

କିନ୍ତୁ, ଏଯାବତ୍‌ ଆମେରିକାରେ ଏହି ପରିବର୍ତ୍ତିତ ଭୂତାଣୁ ଚିହ୍ନଟ ହୋଇଥିବା ସଂକ୍ରାନ୍ତରେ କୌଣସି ରିପୋର୍ଟ ମିଳିନାହିଁ। ତେଣୁ ଆସନ୍ତା ସୋମବାର ଠାରୁ ବିମାନ ଯୋଗେ ଇଂଲଣ୍ଡ୍‌ରୁ ଆମେରିକା ଆସୁଥିବା ସମସ୍ତ ଯାତ୍ରୀଙ୍କୁ କରୋନାଭାଇରସ୍‌ ନେଗେଟିଭ୍‌ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ବିମାନ ଛାଡ଼ିବା ପୂର୍ବର ୭୨ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଯାତ୍ରୀମାନେ କରୋନାଭାଇରସ୍‌ ପରୀକ୍ଷା କରାଇ ନେଗେଟିଭ୍‌ ସାର୍ଟିଫିକେଟ୍‌ ହାସଲ କରିଥିବା ଆବଶ୍ୟକ ବୋଲି ଆମେରିକା ସରକାର କହିଛନ୍ତି। ଏହାଛଡ଼ା, ଚୀନ୍‌ ଓ ୟୁରୋପୀୟ ରାଷ୍ଟ୍ରରୁ ଆଗମନ କରୁଥିବା ଲୋକମାନଙ୍କ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନିଷେଧାଦେଶ ଜାରି କରିଛି।

ଶନିବାର ଦିନ ଜାପାନ ମଧ୍ୟ ସାମୟିକ ଭାବେ ଡିସେମ୍ବର ୨୮ରୁ ଜାନୁଆରି ମାସ ପର୍ଯ୍ୟନ୍ତ ସମସ୍ତ ବିଦେଶୀ ନାଗରିକଙ୍କ ପାଇଁ ଏଭଳି ନିଷେଧାଜ୍ଞା ଜାରି କରିଛି। ଶୁକ୍ରବାର ଦିନ ଜାପାନର ରାଜଧାନୀ ଟୋକିଓରେ ପ୍ରଥମେ ଏହି ବିବର୍ତ୍ତିତ ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଥିଲା। ଇଂଲଣ୍ଡ ଫେରନ୍ତା ୫ଜଣଙ୍କ ନମୁନାରେ ଏହି ଭୂତାଣୁ ଚିହ୍ନଟ ହୋଇଥିବା କଥା ଜାପାନ କହିଛି।

ସମଗ୍ର ୟୁରୋପ ମହାଦେଶରେ ଥିବା ଦେଶସମୂହ ଏବଂ ଅନ୍ୟ ମହାଦେଶରେ ମଧ୍ୟ ଇଂଲଣ୍ଡ୍‌ରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଗତ ସପ୍ତାହରୁ କଟକଣା ଜାରି କଲେଣି।

The post ପ୍ରତିରୋଧ ଉଦ୍ୟମ ସତ୍ତ୍ୱେ ବିଶ୍ୱରେ ବ୍ୟାପୁଛି ଇଂଲଣ୍ଡ୍‌ରେ ଚିହ୍ନଟ ହୋଇଥିବା କରୋନାଭାଇରସ୍‌ର ପରିବର୍ତ୍ତିତ ପ୍ରଜାତି first appeared on Sambad.



from କରୋନା – Sambad https://ift.tt/2Jn1i97