
ନୂଆଦିଲ୍ଲୀ : ବ୍ରିଟେନରୁ ଆସୁଥିବା ଫ୍ଲାଇଟ ଉପରେ ଲାଗୁ ସାମୟିକ କଟକଣା ମଙ୍ଗଳବାର ମଧ୍ୟରାତ୍ରିରୁ ଲାଗୁ ହୋଇଛି । ଲଣ୍ଡନରୁ ଦିଲ୍ଲୀ ଆସିଥିବା ଶେଷ ଫ୍ଲାଇଟରେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୬ ଜଣ କରୋନା ପଜିଟିଭ ଥିବା ଜଣାପଡ଼ିଛି । ଏହି ୬ ଜଣ ଯାତ୍ରୀଙ୍କୁ ସରକାରୀ କ୍ବାରାଣ୍ଟାଇନକୁ ପଠାଇଦିଆଯାଇଛି । ସେହିପରି ଆଉ ୫୦ ଜଣ ଯାତ୍ରୀଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପରାମର୍ଶ ଦିଆଯାଇଛି ।
ପଜିଟିଭ ଚିହ୍ନଟ ୬ ଯାତ୍ରୀଙ୍କ ଶରୀରରେ ନୂଆ କରୋନା ଭୁତାଣୁ ଅଛି କି ନା ତାହା ଜାଣିବାକୁ ସେମାନଙ୍କ ସ୍ବାବ ନମୁନାକୁ ଅଧିକ ପରୀକ୍ଷା ଲାଗି ପଠାଇଦିଆଯାଇଛି । ଗତକାଲି (ମଙ୍ଗଳବାର) ୨୦ ଜଣ ଯାତ୍ରୀ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା ।
ଗତକାଲି ସରକାର କହିଥିଲେ ଯେ ଭାରତରେ ନୂଆ କରୋନା ଭୁତାଣୁ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ତେବେ ବିଶେଷଜ୍ଞଙ୍କ ମତରେ ବ୍ରିଟେନରୁ ଫେରି କରୋନା ପଜିଟିଭ ଚିହ୍ନଟ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ଅଧା ଯାତ୍ରୀଙ୍କ ଶରୀରରେ ନୂଆ ଭୁତାଣୁ ଥାଇପାରେ ।
ହାଇଦ୍ରାବାଦ ସ୍ଥିତ ସେଣ୍ଟର ଫର ସେଲୁଲାର ଏଣ୍ଡ ମଲେକୁଲାର ବାୟୋଲୋଜୀ (ସିସିଏମବି) ର ନିର୍ଦ୍ଦେଶକ ଡ. ରାକେଶ ମିଶ୍ର କହିଛନ୍ତି ଯେ ବ୍ରିଟେନରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ନୂଆ ଭୁତାଣୁ ଦ୍ବାରା ସଂକ୍ରମିତ ହୋଇଥିବାରୁ ପଜିଟିଭ ଚିହ୍ନଟ ହୋଇଥିବା ୨୦ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ମଧ୍ୟରୁ ଅତିକମରେ ଅଧା ଯାତ୍ରୀ ଏହି ନୂଆ ଭୁତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବାର ଯଥେଷ୍ଟ ସମ୍ଭାବନା ରହିଛି ।
ବ୍ରିଟେନରେ ଚିହ୍ନଟ ଏହି ନୂଆ କରୋନା ଭୁତାଣୁ ପୂର୍ବାପେକ୍ଷା ଆହୁରି ସଂକ୍ରାମକ ହୋଇଥିବାବେଳେ ଯୁବକମାନଙ୍କୁ ଆକ୍ରାନ୍ତ କରୁଛି ବୋଲି ଜଣାଯାଇଛି ।
The post ଲଣ୍ଡନରୁ ଦିଲ୍ଲୀ ଫେରିଥିବା ଆଉ ୬ ଯାତ୍ରୀ କରୋନା ପଜିଟିଭ first appeared on Sambad.
from କରୋନା – Sambad https://ift.tt/3mLfGWn
0 Comments