ନୂଆଦିଲ୍ଲୀ: ଭାରତରେ ମହିଳାଙ୍କ ତୁଳନାରେ କୋଭିଡ୍‌-୧୯ ମହାମାରୀ ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ଘାତକ ସାବ୍ୟସ୍ତ ହୋଇଛି। ଗତ ଜାନୁଆରି ଠାରୁ ଏଯାବତ୍‌ କୋଭିଡ୍‌-୧୯ ମହାମାରୀରେ ସମଗ୍ର ଦେଶରେ ମୃତ୍ୟୁବରଣ କରିଥିବା ପ୍ରାୟ ୧.୪୭ ଲକ୍ଷ ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ପୁରୁଷ। ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।

କୋଭିଡ୍‌-୧୯ ମହାମାରୀ କାରଣରୁ ଦେଶରେ ହୋଇଥିବା ମୋଟ ମୃତ୍ୟୁର ୭୦ ପ୍ରତିଶତ ହେଉଛନ୍ତି ପୁରୁଷ। ଆଉ ଏମାନଙ୍କ ମଧ୍ୟରେ ୬୦ ବର୍ଷରୁ କମ୍‌ ବୟସର ଅଛନ୍ତି ୫୦ ପ୍ରତିଶତ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ସେ କହିଛନ୍ତି, ମୋଟ ୬୦ ପ୍ରତିଶତ ମାମଲା ପୁରୁଷଙ୍କ ମଧ୍ୟରେ ଥିଲା। ଏମଧ୍ୟରୁ ୫୨ ପ୍ରତିଶତ ମାମଲା ୧୮-୪୪ ବୟସ ବର୍ଗ ମଧ୍ୟରେ ଥିଲା। କିନ୍ତୁ ଏହି ବର୍ଗରେ କେବଳ ୧୧ ପ୍ରତିଶତ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ତେବେ, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁସାରେ, ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଦୈନିକ କୋଭିଡ୍‌-୧୯ ମୃତକଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ରହିଥିଲା। ସମଗ୍ର ବିଶ୍ୱରେ ୮.୧ କୋଟିରୁ ଅଧିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ରହିଥିବା ବେଳେ, ସେଥିମଧ୍ୟରୁ ୧.୦୨ କୋଟି ଭାରତରେ ଅଛି। କୋଭିଡ୍‌-୧୯ ଦ୍ୱାରା ସମଗ୍ର ବିଶ୍ୱରେ ଆମେରିକା ପରେ ଭାରତ ହେଉଛି ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର।

The post ଭାରତରେ କୋଭିଡ୍‌-୧୯‌ ମୃତକଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ପୁରୁଷ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ first appeared on Sambad.



from କରୋନା – Sambad https://ift.tt/2WVZ3ge