ନୂଆଦିଲ୍ଲୀ : ଚଳିତ ମାସରେ ଦ୍ବିତୀୟ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୩୦ ହଜାରରୁ କମ୍‌ ରହିଛି। ବିଗତ ୨୪ ଘଣ୍ଟା‌ ମଧ୍ୟରେ ୨୯,୩୯୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୪୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୯୭ ଲକ୍ଷ ୯୬ ହଜାର ୭୬୯ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୨ ହଜାର ୧୮୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ୯୨ ଲକ୍ଷ ୯୦ ହଜାର ୮୩୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଆରୋଗ୍ୟ ହାର ୯୪.୮୪ ପ୍ରତିଶତକୁ ବୃଦ୍ଧି ପାଇଛି। କୋଭିଡ୍‌ ମୃତ୍ୟୁହାର ୧.୪୫ ପ୍ରତିଶତକୁ କମି ଆସିଛି। ଦେଶ‌ରେ କୋଭିଡ୍‌ ସକ୍ରିୟ ମାମଲା ଲଗାତାର ୫ ଦିନ ଧରି ୫ ଲକ୍ଷରୁ କମ୍‌ ରହିଛି। ଦେଶରେ ଏବେ ମୋଟ୍‌ ୩ ଲକ୍ଷ ୬୩ ହଜାର ୭୪୯ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୩.୭୧ ପ୍ରତିଶତ। ୧୪୬ ଦିନ ପରେ ଦେଶରେ ସକ୍ରିୟ ମାମଲା ସବୁଠୁ କମ୍‌ ରହିଛି।

ଗତ ଜୁଲାଇ ୧୮ରେ ଦେଶରେ ସକ୍ରିୟ ମାମଲା ୩ ଲକ୍ଷ ୫୮ ହଜାର ୬୯୨ ଥିଲା। ଏହା ପରଠାରୁ ଦେଶରେ ସକ୍ରିୟ ମାମଲା ବଢ଼ିବାରେ ଲାଗିଲା। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୯୩ ଲକ୍ଷ ପହଞ୍ଚିବ। ତେବେ ଦେଶରେ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ୮୯ ଲକ୍ଷ ୨୭ ହଜାରରୁ ଅଧିକ ରହିଛି। ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୭୯.୯୦ ପ୍ରତିଶତ ନୂଆ‌ ଆରୋଗ୍ୟ ମାମଲା ଚିହ୍ନଟ ହୋଇଛି।

The post ଦେଶରେ ୩୦ ହଜାରରୁ କମ୍‌ ସଂକ୍ରମଣ first appeared on Sambad.



from କରୋନା – Sambad https://ift.tt/2W3LsTu