
ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନାଭୂତାଣୁ ସଂକ୍ରମଣ ମାମଲା କମିଚାଲିଥିବାରୁ ଦେଶରେ ମହାମାରୀ କୋଭିଡ୍-୧୯ର ଦ୍ବତୀୟ ଥର ଲାଗି ସଂକ୍ରମଣ ଶୀର୍ଷ ଦେଖାଦେଇନପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ଏପରିକି ଯଦି ବି ଏହା ଘଟେ, ତାହା ପୂର୍ବ ଭଳି ଘାତକ ସାବ୍ୟସ୍ତ ହେବନାହିଁ ବୋଲି ସେମାନେ ଆଶାବାଦୀ ଅଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ, ଦେଶରେ ଅଦ୍ୟାବଧି ମୋଟ ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଡେଇଁ ସାରିଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୨୬,୬୨୪ ନୂତନ ସଂକ୍ରମଣ ସହ ୩୪୧ଟି ମୃତ୍ୟୁ ଦେଖିବାକୁ ମିଳିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷା ଆରୋଗ୍ୟ ଲାଭ କରୁଥିବା ପୀଡ଼ିତଙ୍କ ସଂଖ୍ୟା ଅଧିକ ରହିବାର ଧାରା ବଜାୟ ରହିଛି ଏବଂ ଗତ ୨୪ ଘଣ୍ଟାରେ ୨୯,୬୯୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଗତ ସେପ୍ଟେମ୍ବର ମଧ୍ୟଭାଗରେ ଭାରତରେ କୋଭିଡ୍ ସଂକ୍ରମଣ ଶୀର୍ଷ ଛୁଇଁଥିବା ବେଳେ ଏବେ ଦୈନିକ ମାମଲା କମିବାରେ ଲାଗିଛି। ଶୀର୍ଷ ବେଳେ ଦୈନିକ ହାରାହାରି ୯୩ ହଜାର ମାମଲା ଆସୁଥିବା ବେଳେ ଏବେ ସାଢ଼େ ୨୫ ହଜାରରେ ସୀମିତ ରହିଛି। ସଂକ୍ରମଣର ସବୁଠୁ ଖରାପ ସମୟ କଟିଯାଇଛି ବୋଲି ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ଡା. ସାହିଦ ଜମିଲ କହିଛନ୍ତି। ତେବେ ଗତ ନଭେମ୍ବରରେ ଦେଖାଦେବା ଭଳି ଆଗକୁ ମଧ୍ୟ ନିମ୍ନ ଧରଣର ସଂକ୍ରମଣ ଶୀର୍ଷ ଘଟିପାରେ ବୋଲି ସେ କହିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରବିବାର ଆଶ୍ବସ୍ତି ପ୍ରକାଶ କରିଛି ଯେ ଏବେ ଦେଶରେ ମୋଟ ଚିକିତ୍ସାଧୀନ ଥିବା କୋଭିଡ୍ ପୀଡ଼ିତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାରକୁ ଖସି ଆସିଛି ଯାହା କି ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ମାତ୍ର ୩.୦୪ ପ୍ରତିଶତ। ଏ ସବୁ ଦୃଷ୍ଟିରୁ ଆଗରୁ ଯେପରି ସଂକ୍ରମଣର କ୍ଷିପ୍ରତା ଅଧିକ ରହିଥିଲା ଆଗକୁ ସେପରି ରହିନପାରେ ବୋଲି ବରିଷ୍ଠ ନୈଦାନିକ ବୈଜ୍ଞାନିକ ଡା. ଗଙ୍ଗାଦୀପ କାଙ୍ଗ କହିଛନ୍ତି। ସୁତରାଂ ଦ୍ବିତୀୟ ସଂକ୍ରମଣ ଶୀର୍ଷ ଆସିଲେ ବି ତାହା ପୂର୍ବ ପରି ଏତେ ଅଧିକ ହେବନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ, ସର୍ବାଧିକ ସଂକ୍ରମଣ ମାମଲା ଦେଖାଦେଇଥିବା ପ୍ରଥମ ୧୫ଟି ଦେଶ ମଧ୍ୟରୁ କେବଳ ଭାରତ, ଆର୍ଜେଣ୍ଟିନା ଓ ପୋଲାଣ୍ଡରେ ହିଁ ଦ୍ବିତୀୟ ସଂକ୍ରମଣ ଢେଉ ଦେଖିବାକୁ ମିଳିନାହିଁ। ଯଦି ବି ଭବିଷ୍ୟତରେ ଦେଖାଦିଏ, ତାହା ଅନ୍ୟ ଏକ ପ୍ରଜାତିର ଭୂତାଣୁ ଦ୍ବାରା ସଂଘଟିତ ହେବ ଯେଉଁଥିରେ ମୃତ୍ୟୁହାର କମ୍ ରହିବ ଏବଂ ଲୋକଙ୍କ ଗୋଷ୍ଠୀ ରୋଗପ୍ରତିରୋଧକତା ବିକଶିତ କରାଇବ ବୋଲି ପ୍ରସିଦ୍ଧ ହୃଦ୍ରୋଗ ବିଶେଷଜ୍ଞ ଡା. କେ କେ ଅଗ୍ରଵାଲ କହିଛନ୍ତି।
The post ଭାରତରେ କରୋନା, ଦ୍ବିତୀୟ ଲହର ଉଗ୍ର ହୋଇନପାରେ first appeared on Sambad.
from କରୋନା – Sambad https://ift.tt/2KGl2ET
0 Comments