ଲଣ୍ଡନ: ମହାମାରୀ କୋଭିଡ୍୧୯ର ମୁକାବିଲା ପାଇଁ ସଂଯୁକ୍ତ ରାଷ୍ଟ୍ର(ୟୁକେ)ରେ ଗଣଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଦେଶବାସୀଙ୍କ ପାଇଁ ଅନ୍ୟ ଏକ ସାଂଘାତିକ ଖବର ଚିନ୍ତାର କାରଣ ହୋଇଛି। ଦେଶରେ କରୋନାଭୂତାଣୁର ଏକ ନୂତନ ପ୍ରଜାତି ଠାବ ହେଲା ପରେ ବୁଧବାର ଠାରୁ ସେଠାରେ ସବୁଠୁ କଠୋର ତିନିଥାକିଆ ଲକ୍‌ଡାଉନ୍‌ କଟକଣା ଆରମ୍ଭ ହେବାକୁ ଯାଉଛି। ଅପରପକ୍ଷେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଏହି ନୂଆ ପ୍ରଜାତିଭୂତାଣୁର ଉତ୍ପତ୍ତିସ୍ଥଳ ଏବଂ ସଂକ୍ରାମକତା ଆଦି ପରୀକ୍ଷା କରିବ ବୋଲି ସୂଚନା ମିଳିଛି। ମିଳିଥିବା ଖବର ଅନୁଯାୟୀ, ଗ୍ରେଟର ଲଣ୍ଡନ, କେଣ୍ଟ୍‌ ଓ ଏସେକ୍ସ ଠାରେ କୋଭିଡ୍‌ ସଂକ୍ରମଣ ଅତର୍କିତ ଦ୍ରୁତ ବେଗରେ ବଢ଼ିବାକୁ ଲାଗିଲା। ଖୋଳତାଡ଼ କରିବାରୁ ସେଠାରେ ହଜାରେରୁ ଅଧିକ ମାମଲାରେ ଏହି ନୂଆ ପ୍ରଜାତିର କରୋନାଭୂତାଣୁକୁ ଠାବ କରାଯାଇଥିଲା। ସୁତରାଂ ଏହି ଅଭୂତପୂର୍ବ ବେଗରେ ସଂକ୍ରମଣ ବୃଦ୍ଧିକୁ ଆଶଙ୍କା କରି ଦେଶରେ ଏପରି ନୂଆ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ନୂଆ କଟକଣା ଦ୍ବାରା ଲୋକେ ଏପରିକି ନିଜ ଘରେ ମଧ୍ୟ ସାମାଜିକ ଉତ୍ସବ ମନାଇବାରୁ ବଞ୍ଚିତ ରହିବେ। ଶିକ୍ଷାନୁଷ୍ଠାନ ସବୁ ତ ବନ୍ଦ ରହିଛି; ଏଥି ସହିତ ଭୋଜନାଳୟ, ମଦ୍ୟଶାଳା, ରାତ୍ରି ଅବସର ବିନୋଦନ କେନ୍ଦ୍ର ସମେତ ବିଭିନ୍ନ ଜଳଖିଆ ଓ ଉଠାଦୋକାନ ଆଦି ବନ୍ଦ ରହିବ। ଅନ୍ୟପକ୍ଷରେ ବ୍ରିଟେନ୍‌ରେ ଏବେ ଟିକାକରଣ ପ୍ରକ୍ରିୟା ଜାରି ରହିଛି।

The post ଲଣ୍ଡନରେ ନୂତନ ପ୍ରଜାତିର କରୋନା ଭୂତାଣୁ, ସବୁଠୁ କଠୋର ଲକ୍‌ଡାଉନ୍‌ ଜାରି first appeared on Sambad.



from କରୋନା – Sambad https://ift.tt/386AWjX