ନୂଆଦିଲ୍ଲୀ : ନାଜି ହତ୍ୟା ଉଦ୍ୟମ, ବିମାନ ଦୁର୍ଘଟଣା ଏବଂ ସ୍ତନ କର୍କଟରୁ ବର୍ତ୍ତିଥିବା ଜଣେ ଶତାୟୁ ମହିଳା (ବିଶ୍ବ ଯୁଦ୍ଧ ସମୟର ସେବାନିବୃତ୍ତ ସୈନିକ) ଏବେ କରୋନାକୁ ହରାଇ ଜୀବନ ଯୁଦ୍ଧରେ ନୂଆ ରେକର୍ଡ କରିଛନ୍ତି। ଜୀବନ ତମାମ ଅନେକ ବିପଜ୍ଜନକ ସମୟ ଦେଇ ଅତିକ୍ରମ କରିଥିବା ଏହି ବ୍ରିଟିଶ୍‌ ମହିଳା ଗତ ରବିବାର ଦିନ ତାଙ୍କର ୧୦୦ ତମ ଜନ୍ମ ଦିବସ ପାଳନ କରିଛନ୍ତି। ମାନସିକ ରୋଗରେ ମଧ୍ୟ ପୀଡ଼ିତ ଥିବା ଏହି ବୃଦ୍ଧାଙ୍କ ନାମ ଜୟ ଆଣ୍ଡ୍ର୍ୟୁ। ଗତ ମେ’ରେ ସେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ହୋଇଯାଇଥିଲା। ସେ ‌ଯେଉଁ କେୟାର ହୋମ୍‌ରେ ରହିଥି‌ଲେ ସେଠାକାର କର୍ମଚାରୀମାନେ ତାଙ୍କୁ ଲାଇଫ୍‌ ସପୋର୍ଟରେ ରଖିଥିଲେ। କିନ୍ତୁ ସବୁ ସମୟର ଏହି ଯୋଦ୍ଧା କରୋନାକୁ ମଧ୍ୟ ହରାଇ ଦେଇଥି‌ଲେ। ପ୍ରାୟ ୨ ମାସ ପରେ ସେ କରୋନାରୁ ସୁସ୍ଥ ହୋଇଥିଲେ।

୧୯୨୦ରେ ଲଣ୍ଡନ୍‌ରେ ଜନ୍ମିତ ଆଣ୍ଡ୍ର୍ୟୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ‘ଓମେନ୍ସ ଏୟାର ଫୋର୍ସ‌୍‌’ ରେ ଜଣେ ସର୍ଜେଣ୍ଟ୍‌ ଭାବେ ଯୋଗ ଦେଇଥିଲେ। ‘ବମ୍ବର୍‌ କମାଣ୍ଡ୍‌ ଅପରେସନ୍‌ ରୁମ୍‌‘ରେ ମଧ୍ୟ ସେ ତାଙ୍କ ଦାୟିତ୍ବ ସମ୍ପାଦନ କରିଥିଲେ। ୧୯୩୬ ମସିହାରୁ ପ୍ରାୟ ୩୦ ବର୍ଷ ଧରି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବୋମାବର୍ଷୀ ୟୁନିଟ୍‌ରେ ଫୋର୍ସ‌୍ ଇନଚାର୍ଜ ରହିଥିଲେ। ଜର୍ମାନୀର ଏକ ଜିହୁଦୀ ପରିବାରରେ ଜନ୍ମିତ ଆଣ୍ଡ୍ର୍ୟୁଙ୍କୁ ଡସେଲ୍‌ଡର୍ଫ‌୍‌ରେ ମୁତୟନ କରାଯାଇଥିଲା। ଆଣ୍ଡ୍ର୍ୟୁ ଅନେକ ସମୟରେ ବର୍ଲିନ୍‌ ଟ୍ରିପ୍‌‌ରେ ଯାଉଥିଲେ ବୋଲି ତାଙ୍କ ଝିଅ ମିସେଲ୍‌ କହିଛନ୍ତି। ଦିନେ ତାଙ୍କ ଡ୍ରାଇଭର ତାଙ୍କୁ କୌଣସି ଏକ ସ୍ଥାନକୁ ନେଇ ଯାଉଥିବା ସମୟରେ ଦୁର୍ଘଟଣା ଘଟାଇ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଡ୍ରାଇଭର୍‌ ଜଣଙ୍କ ଧରା ପଡ଼ିବା ପରେ ସେ ଜଣେ ନାଜି ବୋଲି ଜଣାପଡ଼ିଥିଲା ଏବଂ ଆଣ୍ଡ୍ର୍ୟୁଙ୍କୁ ଗୋପନରେ ହତ୍ୟା କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ମିଳିଥିଲା ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଥିଲା।

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆଣ୍ଡ୍ର୍ୟୁ ବ୍ରିଟିଶ୍‌ ଓଭରସିଜ୍‌ ଏୟାରୱେଜ୍‌ କର୍ପୋରେସନ୍‌ର ପ୍ରଥମ ଏୟାର ହଷ୍ଟେସ୍‌ ଥିଲେ। ଥରେ ସେ ‌‌ଯେଉଁ ବିମାନରେ ଥିଲେ ତାହା ଲିବିୟାରେ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଖଣ୍ଡ ହୋଇଯାଇଥିଲା। ଏହି ଦୁର୍ଘଟଣାରୁ ମଧ୍ୟ ଆଣ୍ଡ୍ର୍ୟୁ ବର୍ତ୍ତି ଯାଇଥିଲେ। ସେହିପରି ୭୦ ଦଶକରେ ମଧ୍ୟ ଆଣ୍ଡ୍ର୍ୟୁ ସ୍ତନ କର୍କଟରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ ଏବଂ ପରବର୍ତ୍ତୀ ସମୟରେ ସୁସ୍ଥ ହୋଇଥିଲେ।

The post ନାଜି ହତ୍ୟା‌ ଉଦ୍ୟମ, ବିମାନ ଦୁର୍ଘଟଣା, କର୍କଟରୁ ବର୍ତ୍ତିଥିବା ଶତାୟୁ ମହିଳା କରୋନାକୁ ହରାଇଲେ first appeared on Sambad.



from କରୋନା – Sambad https://ift.tt/2JgDZgX