
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ତୃତୀୟ ଲହର ଏବଂ ଗୁଜରାଟରେ ଦ୍ବିତୀୟ ଲହର ଏବେ ସଂକ୍ରମଣ ମାମଲାକୁ ବଢ଼ାଇ ଦେଇଛି। ଆଗକୁ ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅଧିକ କଟକଣା ଲାଗୁ ଉପରେ ବିଚାର କରୁଛନ୍ତି। ଅହମଦାବାଦରେ ପ୍ରାୟ ୧୦୦ଟି ଅବରୋଧ ଅଂଚଳରେ ସ୍ଥିତି ଜଟିଳ ହେବାରୁ ଆଜିଠାରୁ ସହରରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଅନ୍ୟପକ୍ଷରେ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଆରମ୍ଭ ହୋଇଛି। କରୋନା ହଟ୍ସ୍ପଟ୍ ବଜାରଗୁଡ଼ିକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି ଏବଂ ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଦିଲ୍ଲୀ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ଦିଲ୍ଲୀ ସରକାର ଏବଂ ବିରୋଧୀ ଦଳ ମୁହାଁମୁହିଁ ହୋଇଥିଲେ।
ବିଜେପି ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଇଁ ଦିଲ୍ଲୀ ସରକାରଙ୍କ ଅବହେଳାକୁ ଦାୟୀ କରିଥିଲା। ଅନ୍ୟପକ୍ଷେ କଂଗ୍ରେସ ଦିଲ୍ଲୀରେ ବଜାର ପୁଣି ବନ୍ଦ କରିବା ସଂକ୍ରାନ୍ତ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲା। ଦିଲ୍ଲୀରେ ଏବେ କୌଣସି କୋଭିଡ୍ ହସ୍ପିଟାଲରେ ବେଡ୍ ଖାଲି ନଥିବାରୁ ପୂର୍ବରୁ ଥିବା ଅସ୍ଥାୟୀ ହସ୍ପିଟାଲଗୁଡ଼ିକୁ ସକ୍ରିୟ କରାଯାଉଛି । ଭେଣ୍ଟିଲେଟର ସପୋର୍ଟ ସହ ୯୨ ପ୍ରତିଶତ ଆଇସିୟୁ ବେଡ୍, ବିନା ଭେଣ୍ଟିଲେଟର ସପୋର୍ଟରେ ୮୭ ପ୍ରତିଶତ ଆଇସିୟୁ ବେଡ୍ ଏବେ ଭର୍ତ୍ତି ହୋଇସାରିଛି। କରୋନା ମୁକାବିଲା ପାଇଁ ଦିଲ୍ଲୀରେ ସ୍ବତନ୍ତ୍ର ଡାକ୍ତରୀ ଦଳ ପହଞ୍ଚିଛନ୍ତି ଏବଂ କେନ୍ଦ୍ର ସରକାର ଏଦିଗରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀରେ ଛଟ୍ ପୂଜା ବନ୍ଦ ହେବନାହିଁ, କିନ୍ତୁ ଗୋଟିଏ ସ୍ଥାନରେ ଅଧିକ ଲୋକ ରୁଣ୍ଡ ହେବା ଉପରେ କଟକଣା ଲଗାଯାଇଛି।
The post ପୁଣି ଫେରୁଛି କୋଭିଡ୍ କଟକଣା, ଅହମଦାବାଦରେ ରାତ୍ରିକାଳୀନ କର୍ଫ୍ୟୁ first appeared on Sambad.
from କରୋନା – Sambad https://ift.tt/3fga5VF
0 Comments