ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି କିମ୍ବା ମାର୍ଚ୍ଚ ମାସ ବେଳକୁ ଭାରତୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ଦେଶୀୟ କୋଭିଡ୍‌ ଟିକା ‘କୋଭାକ୍ସିନ୍‌’ ଆସିଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଏବଂ ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍‌ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚଳିତ ମାସ ଶେଷ ସୁଦ୍ଧା ସମ୍ପନ୍ନ କରାଯିବ। ଦୁଇ ମା‌ସ ମଧ୍ୟରେ ଏହାର ଚୂଡ଼ାନ୍ତ ପରୀକ୍ଷଣ ଶେଷ ହୋଇଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଭାରତରେ ୨୬,୦୦୦ ସ୍ବେଚ୍ଛାସେବୀଙ୍କଠାରେ କୋଭାକ୍ସିନ ଟିକାର ସଫଳ ପରୀକ୍ଷଣ କରାଯାଇଛି। ଭାରତ ନିଜସ୍ବ ଜ୍ଞାନକୌଶଳ ପ୍ରୟୋଗ କରି ଏଭଳି ଏକ ଟିକାର ସଫଳ ପରୀକ୍ଷଣ କରିପାରିଛି। ଆସନ୍ତା ଦୁଇ ମାସ ମଧ୍ୟରେ ଚୂଡ଼ାନ୍ତ ପରୀକ୍ଷଣ ଶେଷ ହୋଇଯିବ ଏବଂ ଫେବ୍ରୁଆରି କିମ୍ବା ମାର୍ଚ୍ଚ ମାସ ବେଳକୁ ଟିକା ଆସିଯିବ ବୋଲି ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି। ଆସନ୍ତା ଜୁଲାଇ ମାସ ସୁଦ୍ଧା ୨୦ରୁ ୨୫ କୋଟି ଭାରତୀୟଙ୍କୁ ଟିକାକରଣ କରାଯିବାର ଯୋଜନା ରହିଛି। କୋଭାକ୍ସିନ ଏହି ଚାହିଦା ପୂରଣ କରିପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ନ୍ୟୁୟର୍କ: ଆସନ୍ତା ମାସ ୧୧ ତାରିଖରେ ଆମେରିକୀୟଙ୍କୁ କରୋନା ଟିକା ମିଳଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଆମେରିକା ସରକାରଙ୍କ ଟିକା କାର୍ଯ୍ୟକ୍ରମର ମୁଖ୍ୟ ବୈଜ୍ଞାନିକ ଉପଦେଷ୍ଟା ଡା. ମୋନସେଫ ସ୍ଲାଓଇ ଏହି ସୂଚନା ଦେଇଛନ୍ତି। ମଞ୍ଜୁରି ମିଳିବାର ୨୪ ଘଣ୍ଟା ମଧ୍ୟରେ ଟିକା ବରାଦ କରିଥିବା କର୍ତ୍ତୃପକ୍ଷଙ୍କ ନିକଟରେ ତାହା ପହଞ୍ଚିଯିବ ବୋଳି ସେ କହିଛନ୍ତି। ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ)ର ବାହ୍ୟ ଉପଦେଷ୍ଟାମାନଙ୍କ ବୈଠକ ଆସନ୍ତାମାସ ୧୦ ତାରିଖରେ ହେବ। ଏହି ବୈଠକରେ ଫାଇଜର ଓ ବାୟୋ‌ଏନଟେକ୍ ଦ୍ବାରା ବିକଶିତ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯିବ କି ନାହିଁ ତାହା ଉପରେ ଆଲୋଚନା ହେବ। ତେଣୁ ୧୧ ତାରିଖ ସୁଦ୍ଧା ଅ‌ାମେରିକୀୟଙ୍କୁ ଉକ୍ତ ଟିକା ମିଳିବା ଆଶା ରହିଛି।

The post ଫେବ୍ରୁଆରି-ମାର୍ଚ୍ଚ ବେଳକୁ କୋଭାକ୍ସିନ୍‌ ଆସିଯିବ: ହର୍ଷବର୍ଦ୍ଧନ first appeared on Sambad.



from କରୋନା – Sambad https://ift.tt/2HxQAvA