ଚଣ୍ଡିଗଡ଼ : ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ୪ ଜିଲ୍ଲା ଶିମ୍‌ଲା, ମଣ୍ଡି, କୁଲ୍ଲୁ ଏବଂ କାଙ୍ଗ୍ରାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ପାଇଁ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ନେତୃତ୍ବାଧୀନ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛନ୍ତି। ଉପରୋକ୍ତ ୪ ଜିଲ୍ଲା‌ରେ ରାତି ୮ରୁ ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହେବ। ସେହିପରି ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ନଭେମ୍ବର ୨୬ରୁ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହେବ। ନଭେମ୍ବରରେ ୫ଟି ରାଜ୍ୟରେ ସକ୍ରିୟ ମାମଲା ବଢ଼ିଥିବାବେଳେ ଏମାନଙ୍କ ମଧ୍ୟରେ ହିମାଚଳ ପ୍ରଦେଶ ରହିଛି। ହିମାଚଳ ପ୍ରଦେଶରେ ସଂକ୍ରମଣ ବଢ଼ିବାରୁ କେନ୍ଦ୍ର ସରକାର ଏଠାକୁ ଏକ ଉଚ୍ଚ ସ୍ତରୀୟ ଟିମ୍‌ ପଠାଇଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ସରକାର ମଧ୍ୟ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ାକଡ଼ି କରିଛନ୍ତି ଏବଂ ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ରାଜ୍ୟରେ ବିବାହ କିମ୍ବା ଅନ୍ୟ କ‌ୌଣସି ଉତ୍ସବ ପାଇଁ ସରକାର ସଦ୍ୟ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଅବରୋଧ ଅଞ୍ଚଳ ବାହାରେ ବିଭିନ୍ନ ଉତ୍ସବ ଏବଂ କାର୍ଯ୍ୟକ୍ରମ ପାଳନ ହେବ, କିନ୍ତୁ ପୂର୍ବାପେକ୍ଷା କମ୍‌ ଏଥିରେ ଯୋଗଦେବେ। ଉତ୍ତରପ୍ରଦେଶ ସରକାରଙ୍କ ନୂଆ ନିର୍ଦ୍ଦେଶାବଳି ଅନୁଯାୟୀ ଆଗକୁ ରାଜ୍ୟରେ ବିବାହ ଉତ୍ସବରେ ୧୦୦ ଅତିଥି ଯୋଗ ଦେଇପାରିବେ। ସବୁ କାର୍ଯ୍ୟକ୍ରମ ସ୍ଥଳରେ ପରିଚାଳକ ମାନେ ବାଧ୍ୟତାମୂଳକ ଫେସମାସ୍କ, ସାନିଟାଇଜର ଏବଂ ଥର୍ମାଲ୍‌ ସ୍କାନରର ବ୍ୟବସ୍ଥା କରିବେ। ଅତିଥିମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରିବେ। ଲଦାଖ୍‌ରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୭,୯୩୯ ପହଞ୍ଚିଛି। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ୍‌ରେ କରୋନା ମୃତ୍ୟୁ ୧୦୦ ପହଞ୍ଚିଛି। ସଂକ୍ରମଣ ବଢ଼ିବାରୁ ଏଠାରେ ନାଗରିକ ସମାଜ ପକ୍ଷରୁ ସୋମବାରଠାରୁ ସପ୍ତାହକ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

The post ହିମାଚଳ ପ୍ରଦେଶର ୪ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ first appeared on Sambad.



from କରୋନା – Sambad https://ift.tt/3kXReA0