
ନୂଆଦିଲ୍ଲୀ: କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ସାରା ବିଶ୍ବ ଏବେ ଟିକା ପାଇଁ ଚାହିଁ ରହିଛନ୍ତି। ବିଶ୍ବର ବହୁ ଖ୍ୟାତନାମା ପ୍ରତିଷ୍ଠାନ ଓ କମ୍ପାନି ଟିକାର ପରୀକ୍ଷା ନିରୀକ୍ଷା ମଧ୍ୟ ଚଳାଇଛନ୍ତି। ନିକଟରେ ଆମେରିକାର ଦୁଇଟି କମ୍ପାନି ଫାଇଜର ଓ ମଡର୍ଣ୍ଣା ସେମାନଙ୍କ ଟିକା ପ୍ରାୟ ୯୫ ପ୍ରତିଶତ ଫଳପ୍ରଦ ବୋଲି ଘୋଷଣା କରିଥିଲେ। ତେବେ ଭାରତ ଭଳି ଜନବହୁଳ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବ ବହନ କରୁଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ଫଳାଫଳ ଘୋଷଣା କରାଯାଇଛି। ପରୀକ୍ଷଣ ବେଳେ ଏହି ଟିକା ୯୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ବୋଲି ସୂଚନା ଦିଆଯାଇଛି। ଏପରିକି ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି କୁହାଯାଇଛି। ଟିକାର ଫଳପ୍ରଦତା ଏବଂ ସୁରକ୍ଷାରୁ ସ୍ପଷ୍ଟ ଯେ କରୋନା ମହାମାରୀ ବିରୋଧରେ ଏହା ଅତ୍ୟନ୍ତ ପ୍ରଭାବୀ ରହିବ ବୋଲି ଆଷ୍ଟ୍ରାଜେନେକାର ମୁଖ୍ୟ କାର୍ଯ୍ୟନିର୍ବାହୀ ପାସ୍କାଲ ସୋରିଅଟ୍ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅକ୍ସଫୋଡ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା ବିକଶିତ ଦୁଇଟି ଉପାୟରେ ଦିଆଯାଇ ପାରିବ। ପ୍ରଥମ ଉପାୟଟି ହେଲା ଜଣେ ବ୍ୟକ୍ତିଙ୍କୁ ଏହି ଟିକାର ଅଧ ଡୋଜ୍ ଦିଆଯିବ। ପ୍ରଥମ ଅଧ ଡୋଜ୍ ଦିଆଯିବାର ଅତିକମ୍ରେ ଏକ ମାସ ପରେ ପୂରା ଡୋଜ୍ ଦିଆଯିବ। ଏ କ୍ଷେତ୍ରରେ ଟିକା ୯୦ ପ୍ରତିଶତ ଫଳପ୍ରଦ ରହୁଛି। ସେହିଭଳି ଦ୍ବିତୀୟ ଉପାୟଟି ହେଲା ଜଣେ ବ୍ୟକ୍ତିକୁ ଏକ ମାସ ବ୍ୟବଧାନରେ ଦୁଇଟି ପୂରା ଡୋଜ୍ ଦିଆଯିବ। ଏ କ୍ଷେତ୍ରରେ ଟିକା ୬୨ ପ୍ରତିଶତ ଫଳପ୍ରଦ ହେଉଛି। ତେବେ ଦୁଇଟି ଯାକ ଉପାୟରେ ଦିଆଯିବାକୁ ଥିବା ଟିକାର ହାରାହାରି ଫଳପ୍ରଦତା ୭୦ ପ୍ରତିଶତ ରହିଛି। ବ୍ରିଟେନ ଓ ବ୍ରାଜିଲରେ ହୋଇଥିବା ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଆଧାରରେ କମ୍ପାନି ଏଭଳି ନିଷ୍କର୍ସରେ ପହଞ୍ଚିଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ଫଳପ୍ରଦତା ସଂପର୍କିତ ଘୋଷଣା ଭାାରତ ପାଇଁ ଖୁସିର ଖବର ଆଣିଛି। କାରଣ ମୂଲ୍ୟ, ସଂରକ୍ଷଣ ଓ ପରିବହନ ଦୃଷ୍ଟିରୁ ଭାରତ ପାଇଁ ଏହି ଟିକା ଅତ୍ୟନ୍ତ ଉପାଦେୟ ବୋଲି ବିବେଚିତ କରାଯାଉଛି।
ଭାରତରେ ଏହି ଟିକାର ଉତ୍ପାଦନ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ନାମକ କମ୍ପାନି କରୁଛି। ଆସନ୍ତା ଜାନୁଆରି ଶେଷ ସୁଦ୍ଧା ଏହି କମ୍ପାନି ସ୍ବାସ୍ଥ୍ୟ କର୍ମୀ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ୧୦ କୋଟି ଡୋଜ୍ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି। ଭାରତରେ ଏହି ଟିକାର ଦୁଇଟି ଆବଶ୍ୟକ ଡୋଜ୍ ମୂଲ୍ୟ ୧୦୦୦ ଟଙ୍କା ମଧ୍ୟରେ ରହିବ। ଏଥିସହିତ ମଡର୍ଣ୍ଣା ଓ ଫାଇଜର ଟିକାକୁ ଯେଭଳି ସଂରକ୍ଷିତ କରିବା ପାଇଁ ବିଯୁକ୍ତ ୭୦ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଆବଶ୍ୟକ ହେଉଛି ଏକ୍ଷେତ୍ରରେ ତାହା ହେବନାହିଁ। ୨ ଡିଗ୍ରିରୁ ୮ ଡିଗ୍ରି ତାପମାତ୍ରାରେ ଉକ୍ତ ଟିକାକୁ ସଂରକ୍ଷିତ କରି ରଖାଯାଇପାରିବ। ତେଣୁ ରେଫ୍ରିଜରେଟର ଥାକରେ ମଧ୍ୟ ଉକ୍ତ ଟିକା ସଂରକ୍ଷିତ ରହିପାରିବ । ସରକାରଙ୍କ ସହଯୋଗରେ ସିରମ୍ ଇନଷ୍ଟିଚ୍ୟୁଟ୍ ଉକ୍ତ ଟିକା ଲୋକଙ୍କ ନିକଟରେ ପହଞ୍ଚାଇବ। ୨୦୨୧ ମାର୍ଚ୍ଚ ସୁଦ୍ଧା ୩୦ରୁ ୪୦ କୋଟି ଡୋଜ୍ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ସୀମିତ ସଂଖ୍ୟକ ଟିକା କମ୍ପାନି ଆସନ୍ତା ଜାନୁଆରି କିମ୍ବା ଫେବ୍ରୁଆରିରେ ଯୋଗାଇ ଦେଇପାରେ। ସିରମ ଇନଷ୍ଟିଚ୍ୟୁଟ ମାସିକ ୧୦ କୋଟି ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଭାରତରେ ଏହି ଟିକାର ନାମ କୋଭିସିଲଡ୍ ରଖାଯାଇଛି। ଆଜିର ଫଳାଫଳ ଘୋଷଣା ପରେ ସିରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲା ଖୁସି ବ୍ୟକ୍ତ କରିଛନ୍ତି। ବ୍ରିଟେନରେ ଏହି ଟିକାର ବ୍ୟବହାରକୁ ନିୟାମକ ଅନୁମତି ମିଳିବା ଭାରତରେ ମଧ୍ୟ ତୁରନ୍ତ ଅନୁମତି ଦିଆଯିବ ବୋଲି କୁହାଯାଉଛି।
The post ଅକ୍ସଫୋର୍ଡ ଟିକା ୯୦% ଫଳପ୍ରଦ first appeared on Sambad.
from କରୋନା – Sambad https://ift.tt/370lDIZ
0 Comments