ନୁଆଦିଲ୍ଲୀ : ମହାମାରୀ କୋଭିଡ୍‌-୧୯ ନିଜର ଉପଦ୍ରବ ଜାରି ରଖିବା ସହ ଦିନକୁ ଦିନ ନୂଆ ନୂଆ ଗୋଲକଧନ୍ଦା ସୃଷ୍ଟି କରୁଛି। ଏହି କ୍ରମରେ କିଛି ସୁସ୍ଥ ସବଳ ବ୍ୟକ୍ତି କାହିଁକି ସଂକ୍ରମିତ ହେଲା ପରେ ଗୁରୁତର ଭାବେ ଅସୁସ୍ଥ ହୋଇପଡୁଛନ୍ତି ଏବଂ କିଛି ସୁସ୍ଥ କୋଭିଡ୍‌ ରୋଗୀ କାହିଁକି ଦୀର୍ଘ ଦିନ ଧରି ସ୍ବାଭାବକ ହୋଇପାରୁନାହାନ୍ତି ବୋଲି ଏକ ପ୍ରଶ୍ନ ଗବେଷକମାନଙ୍କୁ ଆନ୍ଦୋଳିତ କରି ଚାଲିଥିଲା। ତେବେ ଏକ ପ୍ରକାର ତ୍ରୁଟିପୂର୍ଣ୍ଣ ରୋଗପ୍ରତିରୋଧ ପ୍ରତିକ୍ରିୟା ହିଁ ଶରୀରରେ ଭିନ୍ନ ତଥା ବିଭ୍ରାନ୍ତିକର ଆଣ୍ଟିବଡି ସୃଷ୍ଟି କରୁଛନ୍ତି ଯାହା ଅଭିନବ କରୋନାଭୂତାଣୁକୁ ଆକ୍ରମଣ କରିବା ପରିବର୍ତ୍ତେ ମନୁଷ୍ୟର ଶରୀରର ଜୀବକୋଷଗୁଡ଼ିକୁ ଆକ୍ରମଣ କରୁଥିବାରୁ ଏଭଳି ଘଟୁଛି ବୋଲି ସଦ୍ୟ ଏକ ଗବେଷଣାରୁ ଜଣାଯାଇଛି।

ଆମେରିକାର ଆଟଲାଣ୍ଟା ସ୍ଥିତ ଜର୍ଜିଆ ଇମୋରି ବିଶ୍ବବିଦ୍ୟାଳୟ ଅଧୀନ ଲୋୟାନ୍ସ ସେଣ୍ଟର ଫର୍‌ ହ୍ୟୁମାନ୍‌ ଇମୁନୋଲୋଜିର ଗବେଷକମାନେ ଆଇସିୟୁ ଚିକିତ୍ସାରେ ଥିବା ୫୨ ଜଣ କୋଭିଡ୍‌-୧୯ ରୋଗୀଙ୍କ ଅବସ୍ଥାକୁ ନିରନ୍ତର ନିରୀକ୍ଷଣ କରି ଏଭଳି ନିର୍ଯାସରେ ପହଞ୍ଚି ପାରିଛନ୍ତି। ଏହି ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ରକ୍ତରେ ଏକପ୍ରକାର ସ୍ବତନ୍ତ୍ର ଧରଣର ଆଣ୍ଟିବଡି ବିକଶିତ ହୋଇଥିଲା ଯାହା କରୋନାଭୂତାଣୁ ସାର୍ସ-କୋଭ୍‌-୨କୁ ରୋକିବା ବଦଳରେ ନିଜ ଶରୀରର ଜୀବକୋଷକୁ ଆକ୍ରମଣ କରୁଥିବା ଜଣାପଡ଼ିଥିଲା। ଅପରପକ୍ଷେ, ପୂର୍ବରୁ ସେମାନଙ୍କ ଠାରେ ଏ ପ୍ରକାର ଆଣ୍ଟିବଡି ବିକଶିତ ହେବାର ଇତିହାସ ନଥିଲା ବୋଲି ଜଣାଯାଇଛି। ସୁତରାଂ ଜଣେ ବ୍ୟକ୍ତି ଅଭିନବ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହେଲା ପରେ ତାଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି କରୁଥିବା ବି-କୋଷିକା ଏପରି ବିଭ୍ରାନ୍ତିକର ତଥା ଅହିତକର ଆଣ୍ଟିବଡି ବିକାଶ କରାଇ ପୀଡ଼ିତଙ୍କୁ ସୁସ୍ଥ କରିବା ପରିବର୍ତ୍ତେ ଏଭଳି ଘାଇଲା କରୁଥିବା ସ୍ପଷ୍ଟ ହୋଇଛି।

The post ଦୀର୍ଘକାଳୀନ ଅସୁସ୍ଥତା ପଛରେ ବିଭ୍ରାନ୍ତିକର ଆଣ୍ଟିବଡି first appeared on Sambad.



from କରୋନା – Sambad https://ift.tt/386UXID