
ନୂଆଦିଲ୍ଲୀ: ଦକ୍ଷିଣ ଏବଂ ମଧ୍ୟ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ରାଜସ୍ଥାନ ଏବଂ ହରିୟାଣାରେ ସଂକ୍ରମଣ ଉପରମୁହାଁ ହୋଇଛି। ହରିୟାଣାରେ ଦିନକରେ ୩,୧୦୪ ସଂକ୍ରମଣ ମାମଲା ଚିହ୍ନଟ ହେବାପରେ ହରିୟାଣା ସରକାର ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ମଧ୍ୟପ୍ରଦେଶ ୫ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି କରିଛି ଏବଂ ଗୁଜରାଟ ସରକାର ଅହମଦାବାଦ୍, ସୁରଟ୍, ଭଦୋଦରା, ରାଜକୋଟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ରାଜସ୍ଥାନରେ ଗତକାଲି ଗୋଟିଏ ଦିନରେ ୨,୭୬୨ ସଂକ୍ରମଣ ମାମଲା ଚିହ୍ନଟ ହେବାପରେ ୩୩ଟି ଜିଲ୍ଲାରେ ୧୪୪ ଜାରି ହୋଇଛି। ଉତ୍ତରପ୍ରଦେଶ ସରକାର ଲୋକମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ସଚେତନ କରାଇଛନ୍ତି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକମାନଙ୍କୁ ଘରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ରରେ ରାଜ୍ୟ ସରକାର ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ପାଇଁ ନଭେମ୍ବର ୨୩ ତାରିଖରୁ ସ୍କୁଲ୍ ଖୋଲିବାପାଇଁ ଅନୁମତି ଦେଇଥିଲେ। କିନ୍ତୁ ମୁମ୍ବାଇ, ଥାନେ, ନାଭି ମୁମ୍ବାଇ, ପାନଭେଲ୍ ପୌର ନିଗମ ସହରର ସମସ୍ତ ସ୍କୁଲ୍କୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ବୃଦ୍ଧି ପାଇବା ଏବଂ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣର ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ର ସରକାର ଦିଲ୍ଲୀରୁ ବିମାନ ଏବଂ ରେଳ ଯାତ୍ରା ଉପରେ କଟକଣା ଲଗାଇବାପାଇଁ ଯୋଜନା କରିଛନ୍ତି। ଦିଲ୍ଲୀରେ ସକ୍ରିୟ ମାମଲା ୧୦ ହଜାର ୫୦୨ ଥିବାବେଳେ ହରିୟାଣାରେ ୭,୩୮୮, ରାଜସ୍ଥାନରେ ୫,୦୬୬, ହିମାଚଳରେ ୪,୧୦୨, ପଂଜାବରେ ୯୩୭, ମଧ୍ୟପ୍ରଦେଶରେ ୮୭୧ ଏବଂ ଚଣ୍ଡିଗଡ଼ରେ ସକ୍ରିୟ ମାମଲା ୫୫୮ ରହିଛି। ଦିଲ୍ଲୀ ପରେ ନଏଡ଼ା ଏବଂ ଗାଜିଆବାଦ୍ରେ ମଧ୍ୟ ବିବାହ ଉତ୍ସବରେ ଅତିଥିଙ୍କ ସଂଖ୍ୟା କମାଯାଇଛି। ଗୌତମ ବୁଦ୍ଧ ନଗର ଜିଲ୍ଲାପାଳ ବିବାହ ଉତ୍ସବରେ ୧୦୦ ଅତିଥି ହିଁ ଯୋଗ ଦେବେ ବୋଲି ଘୋଷଣା କରିଥିବା ବେଳେ ଗାଜିଆବାଦ ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ମଧ୍ୟ ସମାନ ଘୋଷଣା କରିଛନ୍ତି।
The post କଟକଣା କଡ଼ାକଡ଼ି: ଉତ୍ତର, ମଧ୍ୟ ଭାରତରେ ସଂକ୍ରମଣ ଉପରମୁହାଁ first appeared on Sambad.
from କରୋନା – Sambad https://ift.tt/2ULrTyE
0 Comments