ନୂଆଦିଲ୍ଲୀ: ଗତମାସରେ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍‌ଙ୍କର ବୁଧବାର ପାହାନ୍ତାରେ ଦେହାନ୍ତ ହୋଇଯାଇଛି। ଶରୀରର ଏକାଧିକ ପ୍ରତ୍ୟଙ୍ଗ ଅକାମି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କଥା ତାଙ୍କ ପୁଅ ଫୈସଲ୍‌ ପଟେଲ୍‌ ଟୁଇଟ୍‌ରେ ଘୋଷଣା କରିଛନ୍ତି।

ଫୈସଲ୍‌ ଟୁଇଟ୍‌ କରିଛନ୍ତି: ୨୦୨୦ ନଭେମ୍ବର ୨୫ ତାରିଖ ପାହାନ୍ତା ୩. ୩୦ ସମୟରେ ମୋର ପିତା ଶ୍ରୀଯୁକ୍ତ ଅହମଦ ପଟେଲ୍‌ଙ୍କର ଦୁଃଖଦ ଏବଂ ଅକାଳ ବିୟୋଗ ହୋଇଥିବା କଥା ଗଭୀର ଦୁଃଖ ଏବଂ ଶୋକରେ ମ୍ରିୟମାଣ ହୋଇ ମୁଁ ଘୋଷଣା କରୁଛି। ପ୍ରାୟ ମାସେ ତଳେ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଏକାଧିକ ପ୍ରତ୍ୟଙ୍ଗ ଅକାମି ହୋଇଯିବା କାରଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା। ବହୁ ଜନସମାବେଶରୁ ଦୂରେଇ ରହି ଏବଂ ସବୁ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖି କୋଭିଡ୍‌-୧୯ ନିୟମ ଏବଂ କଟକଣା ପାଳନ କରିବା ନିମନ୍ତେ ମୁଁ ସମସ୍ତ ଶୁଭାକାଙ୍‌କ୍ଷୀମାନଙ୍କୁ ଅନୁରୋଧ କରୁଛି।

Image Courtesy of India Today

ଗୁଜରାଟର ଜଣେ ରାଜ୍ୟସଭା ସାଂସଦ ତଥା କଂଗ୍ରେସ କୋଷାଧ୍ୟକ୍ଷ ପଟେଲ୍‌ ଆଠ ଥର ସାଂସଦ ହୋଇଥିଲେ। ୧୯୭୬ ମସିହାରେ ଗୁଜରାଟର ଭରୁଚ ଜିଲ୍ଲାରେ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିବା ପଟେଲ୍‌ ତିନି ଥର ଲୋକସଭା ଏବଂ ପାଞ୍ଚଥର ରାଜ୍ୟସଭା ସାଂସଦ ହୋଇଥିଲେ। ମଧ୍ୟବର୍ତ୍ତୀକାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସେ ଜଣେ ଘନିଷ୍ଠ ସହଯୋଗୀ ବୋଲି ବିବେଚନା କରାଯାଉଥିଲା।

ଅଧିକ ଚିକିତ୍ସା ନିମନ୍ତେ ନଭେମ୍ବର ୧୫ ତାରିଖ ଦିନ ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍‌ର ‘ଆଇସିୟୁ’ରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ମୃତ୍ୟୁ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରି ଟୁଇଟ୍‌ କରିଛନ୍ତି, ଅହମଦ୍‌ ପଟେଲ୍‌ ଜୀଙ୍କ ତିରୋଧାନରେ ଦୁଃଖିତ। ସମାଜ ଓ ଜନତାଙ୍କ ସେବାରେ ସେ ଅନେକ ବର୍ଷ ବିତାଇଥିଲେ। ତୀକ୍ଷ୍ଣ ଧୀଶକ୍ତି ନିମନ୍ତେ ଜଣାଶୁଣା ପଟେଲ୍‌ କଂଗ୍ରେସ ପାର୍ଟିକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ନିମନ୍ତେ ସ୍ମରଣୀୟ ହୋଇ ରହିବେ। ତାଙ୍କ ପୁଅ ଫୈସଲ୍‌ ସହ କଥା ହୋଇ ସମବେଦନା ଜଣାଇଛି। ଅହମଦ୍‌ ଭାଇଙ୍କ ଆତ୍ମା ଶାନ୍ତିରେ ରହୁ।

ଅହମଦ୍‌ ପଟେଲ୍‌ଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ଜଣେ ଅଭିଚ୍ଛେଦ୍ୟ ସହଯୋଗୀ, ବିଶ୍ୱସ୍ତ ସହକର୍ମୀ ଏବଂ ବନ୍ଧୁଙ୍କୁ ହରାଇଲି।

ତାଙ୍କ ମୃତ୍ୟୁରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଶୋକବ୍ୟକ୍ତ କରି ଲେଖିଛନ୍ତି, ଆଜି ଦୁଃଖର ଦିନ। ଶ୍ରୀ ଅହମଦ୍‌ ପଟେଲ୍‌ ଥିଲେ କଂଗ୍ରେସର ସ୍ତମ୍ଭ। ଖୁବ୍‌ ଉତ୍ସାହର ସହ ସେ କଂଗ୍ରେସ ପାଇଁ ସମୟ ଦେବା ସହ ଅତି ଅସୁବିଧା ପରିସ୍ଥିତିରେ ଦଳକୁ ସହଯୋଗ କରିଥିଲେ। ସେ ଥିଲେ ମହାନ୍‌ ସମ୍ବଳ। ଆମେ ତାଙ୍କ ଅନୁପସ୍ଥିତି ଅନୁଭବ କରିବୁ। ଫୈସ୍‌ଲ୍‌, ମମ୍‌ତାଜ୍‌ ଏବଂ ତାଙ୍କ ପରିବାରକୁ ମୋର ସ୍ନେହ ଓ ସମବେଦନା।

The post କୋଭିଡ୍‌-୧୯ଜନିତ ଜଟିଳତା ଯୋଗୁଁ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କ ଦେହାନ୍ତ; ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ ପ୍ରକାଶ first appeared on Sambad.



from କରୋନା – Sambad https://ift.tt/33imDY6