ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି। ଏହାର ପ୍ରମାଣ ହେଉଛି ହସ୍ପିଟାଲ‌ରେ ଆକ୍ରାନ୍ତ ସଂଖ୍ୟା କମିଗଲାଣି। କିନ୍ତୁ ଉଦ୍‌ବେଗର ବିଷୟ ହେଲା, ୱାର୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଇସିୟୁରେ ବୃଦ୍ଧି ପାଉଛି। ଦୁଇ ତିନିଟି କୋଭିଡ୍‌ ହସ୍ପିଟାଲରେ ତ ଆଇସିୟୁରେ ବି ଶଯ୍ୟା ମିଳୁନି। ଫଳରେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

ଏପଟେ ମୋଟ୍‌ ଆକ୍ରାନ୍ତଙ୍କର ୮୦% ଏବେ ଗୃହ ସଙ୍ଗରୋଧରେ ରହୁଛନ୍ତି। କୋଭିଡ୍‌ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଅନ୍ୟ ରୋଗର ଚିକିତ୍ସା କରାଯାଉନଥିବାରୁ ଆକ୍ରାନ୍ତମାନେ ଘରେ ରହୁଛନ୍ତି ପଛେ ହସ୍ପିଟାଲକୁ ଯାଉନାହାନ୍ତି। ଏହାବାଦ୍‌ ବୀମା ଥିବା ଲୋକ ଏବଂ ଧନୀକ ଶ୍ରେଣୀର ଲୋକ କୋଭିଡ୍‌ ହସ୍ପିଟାଲ ଯିବା ଅପେକ୍ଷା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଫଳରେ କୋଭିଡ୍‌ ହସ୍ପିଟାଲ ଉପରେ ଚାପ କମିବାରେ ଲାଗିଛି। ଏବେ କୋଭିଡ୍‌ ହସ୍ପିଟାଲରେ ଅଧାରୁ ଅଧିକ ବାହାର ଜିଲ୍ଲାର ଆକ୍ରାନ୍ତ ଥିବା ଜଣାପଡ଼ିଛି। ଭୁବନେଶ୍ବର ସମେତ ବାହାର ଜିଲ୍ଲାର ଗୁରୁତର କରୋନା ଆକ୍ରାନ୍ତ ଆଇସିୟୁ ପାଇଁ ହସ୍ପିଟାଲ ଆସୁଥିବାରୁ ଆଇସିୟୁରେ ଶଯ୍ୟା କମ୍‌ ରହିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ, କୋଭିଡ୍‌ କେୟାର ସେଣ୍ଟର୍‌କୁ ଆଉ ଆକ୍ରାନ୍ତ ଯାଉ ନାହାନ୍ତି। କାଁ ଭାଁ ଆକ୍ରାନ୍ତ ଯାଉଛନ୍ତି। ଫଳରେ କେତେକ କୋଭିଡ୍‌ କେୟାର ସେଣ୍ଟର (ସିସିସି)ରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ପହଞ୍ଚିଲାଣି। ତେଣୁ ଏଗୁଡ଼ିକୁ ବନ୍ଦ କରାଯିବ କି ନାହିଁ, ସେନେଇ ବିଏମ୍‌ସି ଦ୍ବନ୍ଦ୍ବରେ ପଡ଼ିଲାଣି। ପ୍ରଥମ ପର୍ଯ୍ୟାୟରେ ଜଟଣୀ କୋଭିଡ୍‌ କେୟାର ସେଣ୍ଟରରେ ୩୦୦ ଶଯ୍ୟା ଥିବା ବେଳେ ଏହାକୁ ବନ୍ଦ କରି ଦିଆଯାଇଛି।

ବିଏମ୍‌ସିର ସୂଚନାନୁଯାୟୀ, ଏବେ ରାଜଧାନୀରେ ଥିବା କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର୍‌ରେ ୯୩୫ଟି ଶଯ୍ୟା ଖାଲିଥିବା ବେଳେ ୪୮ଟି ଆଇସିୟୁ ଶଯ୍ୟା ଖାଲି ଅଛି।

The post ଆଇସିୟୁ ଭର୍ତ୍ତି, ୱାର୍ଡ ଖାଲି : ରାଜଧାନୀରେ କୋଭିଡ୍‌ କେୟାର ସେଣ୍ଟରକୁ ଯାଉନାହାନ୍ତି ଆକ୍ରାନ୍ତ, ୯୩୫ ଶଯ୍ୟା, ୪୮ ଆଇସିୟୁ ଖାଲି first appeared on Sambad.



from କରୋନା – Sambad https://ift.tt/344uDwF