
ଭୁବନେଶ୍ୱର, : କ୍ୟାପିଟାଲ୍ ହସ୍ପିଟାଲରେ କୋଭିଡ୍ ଆଇସିୟୁ ପାଇଁ ଜରୁରୀ ଅକ୍ସିଜେନ ରୁମ୍ ନିର୍ମାଣ ନେଇ ଅନିଶ୍ଚିତତା ଦେଖା ଦେଇଛି। ହସ୍ପିଟାଲ କର୍ତୃପକ୍ଷଙ୍କ ପକ୍ଷରୁ ଯେଉଁ ସ୍ଥାନରେ ଏହାର ନିର୍ମାଣ ନେଇ ଯୋଜନା କରାଯାଇଛି, ସେହି ବିବଦାୟୀ ସ୍ଥାନ ଏବେ ପୁନର୍ବାର ଚର୍ଚାକୁ ଆସିଛି। ଫଳରେ କୋଭିଡ୍ ଆଇସିୟୁ ତୁରନ୍ତ କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ତୁରନ୍ତ ବିବାଦର ସମାଧାନ କରିବା ଲାଗି ଯୋଜନା କରାଯାଉଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ସଂକ୍ରମଣ ୱାର୍ଡ ନିକଟ ପୁରୁଣା ବିଲ୍ଡିଂରେ କୋଭିଡ୍ ଆଇସିୟୁ ପାଇଁ ସରକାରୀ ନିଷ୍ପତ୍ତି ନିଆଯାଇଛି। ଆଇସିୟୁ ପାଇଁ ଅକ୍ସିଜେନ୍ ରୁମ୍ର ଆବଶ୍ୟକତା ରହିଛି। ଏ ଦୃଷ୍ଟିରୁ ନିକଟରେ ଥିବା ଏକ ଜାଗାରେ ଏହି ପ୍ଲାଣ୍ଟ ନିର୍ମାଣ ଲାଗି ଯୋଜନା ହୋଇଥିଲା। ମାତ୍ର ସେହି ଜାଗା ବିବାଦ ଯୋଗୁଁ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ଅପରପକ୍ଷରେ ଆଇସିୟୁ ନିର୍ମାଣ କାର୍ଯ୍ୟ ଏକପ୍ରକାର ଶେଷ ହେବା ଉପରେ। ଖୁବ୍ଶୀଘ୍ର ଏହି କାର୍ଯ୍ୟ ଶେଷ ହେବ ବୋଲି ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବରିଷ୍ଠ ଅଧିକାରୀଙ୍କ ମୁତାବକ, ଜାଗା ବିବାଦର ସମାଧାନ ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସମେତ ଆଇନଗତ ଦିଗକୁ ମଧ୍ୟ ବିଚାରକୁ ନିଆଯାଇଛି। ତେଣୁ ତୁରନ୍ତ ଏହାର ସମାଧାନ କରି କୋଭିଡ୍ ଆଇସିୟୁକୁ କାର୍ଯ୍ୟକ୍ଷମ କରିବା ଲାଗି ଚେଷ୍ଟା କରାଯାଉଛି। ତେବେ ନିର୍ଦ୍ଦିଷ୍ଟ କେବେ ସୁଦ୍ଧା କୋଭିଡ୍ ଆଇସିୟୁ କାର୍ଯ୍ୟକ୍ଷମ ହେବ, ତାହାକୁ ନେଇ ଅଧିକାରୀ ସ୍ପଷ୍ଟ ସୂଚନା ଦେଇପାରି ନାହାନ୍ତି।
ଗତ ମାସରେ କରୋନାକୁ ନେଇ ରାଜଧାନୀ ସମେତ ରାଜ୍ୟବ୍ୟାପୀ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଧିକାଂଶ ସରକାରୀ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଆଇସିୟୁ କିମ୍ବା ଭେଣ୍ଟିଲେଟର୍ ମଧ୍ୟ ମିଳି ପାରି ନଥିଲା। ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ସମେତ ଏସ୍ସିବି ମେଡିକାଲ କଲେଜରେ କୋଭିଡ ଆଇସିୟୁ ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏହା ଭିତରେ ଅନେକ ଦିନ ବିତି ଯାଇଥିଲେ ହେଁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।
The post କ୍ୟାପିଟାଲ ହସ୍ପିଟାଲ କୋଭିଡ୍ ଆଇସିୟୁ କେବେ? first appeared on Sambad.
from କରୋନା – Sambad https://ift.tt/3k6yte0
0 Comments