ନୂଆଦିଲ୍ଲୀ: ଭାରତର ଘରୋଇ କମ୍ପାନିଙ୍କ ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ବିକଶିତ ଦୁଇଟି କୋଭିଡ୍‌ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନାକବୁନ୍ଦା ପରୀକ୍ଷଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି। ସେଥିରେ ପୁଣେ ସ୍ଥିତ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ବିକଶିତ ‘କୋଭାକ୍ସିନ୍‌’ ଏବଂ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ର ‘କୋଭିସିଲ୍‌ଡ’ ଟିକାର ନାକବୁନ୍ଦା ସଂସ୍କରଣ ରହିଥିବା ଜଣାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ମୁତାବକ, ସମ୍ପ୍ରତି ବିଶ୍ବରେ ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରହିଥିବା ଟିକାଗୁଡ଼ିକର ପ୍ରୟୋଗ ସାଧାରଣତଃ ଇଞ୍ଜେକ୍ସନ ମାଧ୍ୟମରେ କରାଯିବ। ମାତ୍ର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକ୍‌ ପକ୍ଷରୁ ପ୍ରଥମ ଥର ପାଇଁ ନାକବୁନ୍ଦା ଟିକାର ଚୂଡ଼ାନ୍ତ ପରୀକ୍ଷଣ ହେବାକୁ ଯାଉଛି ଯାହା କି ରୋଗୀ ଗ୍ରହଣ କରିବାରେ ସୁବିଧା ଓ ସହଜ ହେବ। ଏହି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରେ ୪୦ ହଜାର ଯାଏ ସ୍ବେଚ୍ଛାସେବୀ ସାମିଲ ହେବେ । ତେବେ ଦେଶର ଶୀର୍ଷ ଭେଷଜ ନିୟାମକଙ୍କ ଠାରୁ ସଂକ୍ରାନ୍ତ ସବୁଜ ସଂକେତ ପାଇଲା ପରେ ହିଁ ଆସନ୍ତା ମାସ ବେଳକୁ ଏହି ଦୁଇ କମ୍ପାନି ସେମାନଙ୍କ ଟିକାର ନାକବୁନ୍ଦା ସଂସ୍କରଣର ନୈଦାନିକ ପରୀକ୍ଷଣ ଆରମ୍ଭ କରିବେ ବୋଲି ଡା. ହର୍ଷବର୍ଦ୍ଧନ ସଂକେତ କରିଛନ୍ତି।

The post ଭାରତରେ ଖୁବ୍‌ ଶୀଘ୍ର ଦୁଇଟି ନାକବୁନ୍ଦା ଟିକାର ନୈଦାନିକ ପରୀକ୍ଷଣ first appeared on Sambad.



from କରୋନା – Sambad https://ift.tt/34adSjE