
ମୁମ୍ବାଇ : ଦେଶରେ ଏବେ ୭୫ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହେଲେଣି। ଆମେରିକା ପରେ ବିଶ୍ବରେ ଦ୍ବିତୀୟ ସର୍ବାଧିକ ସଂକ୍ରମଣ ମାମଲା ଭାରତରୁ ଚିହ୍ନଟ ହୋଇଛି। ଗତ ସେପ୍ଟେମ୍ବର ମଧ୍ୟଭାଗରେ ଭାରତରେ ସଂକ୍ରମଣ ହଠାତ୍ ବଢ଼ିଥିଲା। କିନ୍ତୁ ଏବେ ସଂକ୍ରମଣ କମିଛି। ବର୍ତ୍ତମାନ ଦେଶରେ ହାରାହାରି ଦୈନିକ ସଂକ୍ରମଣ ୬୧ ହଜାର ୩୯୦ ରହୁଛି। ତେବେ କରୋନା ଆକଳନ ସଂକ୍ରାନ୍ତ ତଥ୍ୟ ଦେବାପାଇଁ ଗଠିତ ଏକ ସରକାରୀ କମିଟି ଦ୍ବାରା ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଆସନ୍ତା ବର୍ଷ ଫେବ୍ରୁଆରି ବେଳକୁ ୧୩୦ କୋଟି ଭାରତୀୟଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଲୋକ କରୋନା ସଂକ୍ରମଣର ଶିକାର ହୋଇ ସାରିଥିବେ। କମିଟିର ଜଣେ ସଦସ୍ୟ ମନିନ୍ଦ୍ରା ଅଗ୍ରୱାଲ୍ କହିଛନ୍ତି, ଏକ ଗାଣିତିକ ମଡେଲ୍ ଆକଳନରୁ ଏହା ଜଣାପଡ଼ିଛି ଯେ, ବର୍ତ୍ତମାନ ଦେଶରେ ପ୍ରାୟ ୩୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। ଆସନ୍ତା ବର୍ଷ ଫେବ୍ରୁଆରି ବେଳକୁ ଏହା ୫୦ ପ୍ରତିଶତକୁ ବୃଦ୍ଧି ପାଇଥିବ।
ତେବେ କେନ୍ଦ୍ର ସରକାରଙ୍କ ସେରୋ ସର୍ଭେ ଆକଳନ ଏବଂ ସରକାରୀ କମିଟି ଆକଳନ ମଧ୍ୟରେ ବହୁତ ତଫାତ୍ ରହିଛି। ଦୁଇଟି ଯାକ ଆକଳନର ତଥ୍ୟ ସମ୍ପୂର୍ଣ୍ଣ ଭିନ୍ନ ରହୁଛି। କେନ୍ଦ୍ର ସରକାରଙ୍କ ସେରୋ ସର୍ଭେ ଆକଳନ ଅନୁଯାୟୀ ସେପ୍ଟେମ୍ବର ସୁଦ୍ଧା ଦେଶରେ ୧୪ ପ୍ରତିଶତ ଲୋକ ସଂକ୍ରମିତ ହୋଇସାରିଛନ୍ତି। କିନ୍ତୁ ଦେଶରେ ୩୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି ବୋଲି ସରକାରୀ କମିଟିର ଆକଳନରୁ ଜଣାପଡ଼ିଛି। ତେବେ କମିଟି ଏହା ମଧ୍ୟ ସତର୍କ କରାଇ ଦେଇଛି ଯେ ଯଦି କରୋନା ମୁକାବିଲା ପାଇଁ ସଠିକ୍ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ସେମାନଙ୍କ ଆକଳନ ମଧ୍ୟ ଭୁଲ୍ ହୋଇପାରେ। ସାମାଜିକ ଦୂରତା ଅବଲମ୍ବନ ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବାରୋପ କରା ନ ଗଲେ ସଂକ୍ରମଣ ଗୋଟିଏ ମାସରେ ୨୬ ଲକ୍ଷ ହୋଇପାରେ। ଦୁର୍ଗା ପୂଜା ଏବଂ ଦୀପାବଳି ପାଇଁ ଦେଶରେ ସଂକ୍ରମଣ ଅଚାନକ ବଢ଼ିବା ନେଇ ମଧ୍ୟ ବିଶେଷଜ୍ଞ ସଚେତନ କରାଇଛନ୍ତି।
The post ସରକାରୀ ବିଶେଷଜ୍ଞ କମିଟିର ଆକଳନ : ଫେବ୍ରୁଆରି ସୁଦ୍ଧା ସଂକ୍ରମିତ ହେବେ ଅଧା ଭାରତୀୟ first appeared on Sambad.
from କରୋନା – Sambad https://ift.tt/3ohZDBo
0 Comments