
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ନେଇ ଆତ୍ମସନ୍ତୋଷ ନ କରିବାକୁ ଅଧିକାରୀମାନଙ୍କୁ ସତର୍କ କରିବାର ଗୋଟିଏ ଦିନ ପରେ ଆଜି ସ୍ବାସ୍ଥ୍ୟ ବିଭାଗ ସବୁ ଜିଲ୍ଲାପାଳ, ଏସ୍ପି, ମ୍ୟୁନସିପାଲ କମିସନର ଓ କମିସନରେଟ୍ ପୁଲିସ୍କୁ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦେଇଛି। ଆଗକୁ ପାର୍ବଣ ସହିତ ଶୀତ ଋତୁ ଆସୁଥିବାରୁ ରାଜ୍ୟରେ କରୋନାର ଦ୍ବିତୀୟ ଲହରି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ୟୁରୋପୀୟ ଦେଶଗୁଡ଼ିକ ସମେତ କେରଳରେ ଓନାମ୍ ପର୍ବ ପରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ତେଣୁ କୋଭିଡ୍ ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ସହିତ ମିସନ୍ ମୋଡରେ ସଚେତନତା ଅଭିଯାନକୁ ଜାରି ରଖିବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ପାର୍ବଣ ଋତୁ ସହିତ ଅନଲକ୍ ପାଇଁ ଚଳପ୍ରଚଳ ବଢ଼ିଛି। ତେବେ ଏହି ସମୟରେ ଲୋକମାନେ ମାସ୍କ ପିନ୍ଧିବା ଜାରି ରଖିବା ସହିତ, ସାମାଜିକ ଦୂରତ୍ବ ବଜାୟ ରଖିବା, ନିୟମିତ ହାତ ଧୋଇବା/ପରିମଳକୁ ଗୁରୁତ୍ବ ଦେବାକୁ ହେବ। ମୁଖ୍ୟମନ୍ତ୍ରୀ ମଧ୍ୟ ଗତକାଲି ଆତ୍ମସନ୍ତୋଷ ନ ହେବା ଲାଗି ସତର୍କ କରାଇଛନ୍ତି। କରୋନା ଟିକା ନ ଆସିବା ପର୍ଯ୍ୟନ୍ତ ସତର୍କ ରହିବାକୁ ହେବ। ନଚେତ୍ ଯଦି ପୁନର୍ବାର ସଂକ୍ରମଣ ଫେରେ ତେବେ ଲୋକଙ୍କ ସହିତ ରାଜ୍ୟ ମଧ୍ୟ ଏଥିରେ ପ୍ରଭାବିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ କୋଭିଡ୍ ନିର୍ଦେଶାବଳୀ କୌଣସି ଢିଲାପଣ ଗଭୀର ପ୍ରଭାବ ପକାଇପାରେ ବୋଲି ବିଭାଗ ପକ୍ଷରୁ ସତର୍କ କରାଯାଇଛି।
The post କରୋନା ସଂଖ୍ୟା କମିବାକୁ ହାଲ୍କା ଭାବେ ନିଅନି, ଜିଲ୍ଲାପାଳ, କମିସନରଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ first appeared on Sambad.
from କରୋନା – Sambad https://ift.tt/31xDF3v
0 Comments