ନୂଆଦିଲ୍ଲୀ : ସମ୍ପ୍ରତି ବିଶ୍ବର ବିଭିନ୍ନ ଦେଶରେ ସମ୍ଭାବ୍ୟ ଫଳପ୍ରଦ କୋଭିଡ୍‌-୧୯ ଟିକା ପାଇଁ ନୈଦାନିକ ପରୀକ୍ଷଣ ଚାଲୁ ରହିଛି। ଏହି କ୍ରମରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ତଥା ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ବ୍ରାଜିଲରେ ଚାଲୁଥିବା ବେଳେ ସାମିଲ ହୋଇଥିବା ଜଣେ ସ୍ବେଚ୍ଛାସେବୀଙ୍କର ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ସଂପୃକ୍ତ ସ୍ବେଚ୍ଛାସେବୀ ଜଣକ ଏଯାଏ ଅକ୍ସଫୋର୍ଡ ଟିକା ନେଇନଥିଲେ ବୋଲି ଘଟଣା ସହ ଜଡ଼ିତ ଜଣେ ବ୍ୟକ୍ତି ନିଜର ନାମ ଗୋପନ ରଖି କହିଛନ୍ତି। ବ୍ରାଜିଲ୍‌ର ସ୍ଥାନୀୟ ଖବର କାଗଜଗୁଡ଼ିକରେ ଏ ସଂକ୍ରାନ୍ତ ସମ୍ବାଦ ପରିବେଷିତ ହୋଇଥିବା ବେଳେ ସରକାରୀ ଭାବେ କିଛି କୁହାଯାଇନାହିଁ।

ଅପରପକ୍ଷେ, ନୈଦାନିକ ପରୀକ୍ଷଣର ନିୟମ ଏବଂ ଗୋପନୀୟତା କାରଣରୁ ଏଭଳି ବ୍ୟକ୍ତିଗତ ମାମଲା ସମ୍ପର୍କରେ ଆଷ୍ଟ୍ରାଜେନେକା ପକ୍ଷରୁ କିଛି ସ୍ପଷ୍ଟୀକରଣ ଦେବାକୁ ମନାକରାଯାଇଛି। , ଗତ ମାସ ଦ୍ବିତୀୟ ସପ୍ତାହରେ କମ୍ପାନି ଦ୍ବାରା ପ୍ରସ୍ତୁତ ଉକ୍ତ ଏଜେଡ୍‌ଡି୧୨୨୨ ବା ସିଏଚ୍‌ଏଡିଓଏକ୍ସ୧ ନାମକ କୋଭିଡ୍‌ ଟିକାର ଚୂଡ଼ାନ୍ତ ପରୀକ୍ଷଣ ବେଳେ ଲଣ୍ଡନରେ ଜଣେ ସ୍ବେଚ୍ଛାସେବୀଙ୍କ ଠାରେ ସନ୍ଦିଗ୍ଧ ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେବାରୁ ପରୀକ୍ଷଣକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ତେବେ ଏହି ପ୍ରତିକୂଳ ପ୍ରତିକ୍ରିୟା ସିଧାସଳଖ ଭାବେ ଟିକା ସହ ଜଡ଼ିତ ନୁହେଁ ଏବଂ ସଂପୃକ୍ତ ସ୍ବେଚ୍ଛାସେବୀଙ୍କର ଆଗରୁ ସ୍ନାୟବିକ ସମସ୍ୟା ରହିଥିବା ଜଣାପଡ଼ିବା ପରେ ଟିକାର ପରୀକ୍ଷଣକୁ ୟୁକେ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଭାରତ ଆଦି ଅନ୍ୟ ଦେଶମାନଙ୍କରେ ପୁଣି ଆରମ୍ଭ କରାଯାଇଥିବା ବେଳେ ଆମେରିକାରେ ଆଗାମୀ ସପ୍ତାହରେ ଚାଲୁ ହେବ ବୋଲି ଜଣାଯାଇଛି।

The post ପରୀକ୍ଷଣ ବେଳେ ଅଘଟଣ : ବ୍ରାଜିଲ୍‌ରେ ସ୍ବେଚ୍ଛାସେବୀ ମୃତ first appeared on Sambad.



from କରୋନା – Sambad https://ift.tt/2HwYxAU