ନୂଆଦିଲ୍ଲୀ : ଏକ ଗୁରୁତର ତଥ୍ୟ ଚୋରି ଜଣାପଡ଼ିବା ପରେ ଭେଷଜ କମ୍ପାନି ଡ. ରେଡି’ସ୍‌ ଲାବରାଟୋରି ପକ୍ଷରୁ ସମସ୍ତ ପ୍ରକାର ଟିକା ପ୍ରସ୍ତୁତିକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ରୁଷୀୟ କୋଭିଡ୍‌ ଟିକା ‘ସ୍ପୁଟନିକ୍‌-ଭି’ର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଭାରତରେ ଚାଲୁ କରିବା ପାଇଁ କେନ୍ଦ୍ରୀୟ ଭେଷଜ ମାନକ ନିୟନ୍ତ୍ରଣ ସଂସ୍ଥା(ସିଡିଏସ୍‌ସିଓ) ପୁଣି ଥରେ ଅନୁମତି ଦେବାର ଚାରି ଦିନ ପରେ କମ୍ପାନିର ଏଭଳି ଟିକା ପ୍ରସ୍ତୁତି ବନ୍ଦ ରହିବା ଘଟଣା ଗୁରୁତ୍ବ ବହନ କରିବା ସହ ଚିନ୍ତାର କାରଣ ହୋଇଛି। କେଉଁ ସୂତ୍ରରୁ ଏଭଳି ଗୋପନୀୟ ତଥ୍ୟ ଚୋରି ହୋଇଛି ବୋଲି କମ୍ପାନି ସମ୍ପ୍ରତି ନିଜର ସୂଚନାପ୍ରଯୁକ୍ତି ନେଟଵର୍କକୁ ଯାଞ୍ଚ ଚଳାଇଛି।

କମ୍ପାନିର ସିଆଇଓ ମୁକେଶ ରାଠିଙ୍କ କହିବାନୁସାରେ, ବୁଧବାର ଆମେରିକୀୟ ସମୟ ଅପରାହ୍ଣ ୪ଟାରୁ ୫ଟା ଭିତରେ କମ୍ପାନିର ଆଭ୍ୟନ୍ତରୀଣ ୱେବସାଇଟ୍‌ ହଡ଼ପ ହେବା ଜଣାପଡ଼ିବା ପରେ ସମସ୍ତ ତଥ୍ୟ କେନ୍ଦ୍ରଗୁଡ଼ିକୁ ବିଚ୍ଛିନ୍ନ କରିଦିଆଯାଇଛି। ତୁରନ୍ତ କମ୍ପାନିର ଭାରତ ସମେତ ବ୍ରାଜିଲ, ରୁଷିଆ, ଆମେରିକା ଓ ୟୁକେରେ ଥିବା କାରଖାନାଗୁଡ଼ିରେ ଟିକା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି। ବିଳମ୍ବରେ ହେଉ ପଛକେ କୌଣସି ଭାରତୀୟ କମ୍ପାନି ଉପରେ ଏହା ଏକ ବଡ଼ ଧରଣର ସାଇବର ଆକ୍ରମଣ ବୋଲି କୁହାଯାଉଛି। ତେବେ ଏହା ଦ୍ବାରା କମ୍ପାନିର କାର୍ଯ୍ୟଳାପରେ ବିଶେଷ କିଛି କ୍ଷତି ହେଉନଥିବା ସ୍ପଷ୍ଟ ହେଲା ପରେ ପରବର୍ତ୍ତୀ ଚବିଶ ଘଣ୍ଟା ଭିତରେ ଯାବତୀୟ ସେବାକୁ ସ୍ବାଭାବିକ କରାଯିବ। ତଥାପି ଟିକା ପ୍ରସ୍ତୁତି ସାନି ଆରମ୍ଭ କରିବା ପାଇଁ ଆଉ କେତେ ସମୟ ଲାଗିବ ତାହା କହିହେବନାହିଁ ବୋଲି ରାଠି କହିଛନ୍ତି।

The post ‌‌ତଥ୍ୟ ଚୋରି : ଡ. ରେଡି’ସ୍‌ ଟିକା ବନ୍ଦ first appeared on Sambad.



from କରୋନା – Sambad https://ift.tt/3dWxQ4z